ଏ ଦୃଶ୍ୟ ଦେଖିବାକୁ ଯେତିକି ହୃଦୟବିଦାରକ ସେତିକି କଷ୍ଟଦାୟକ। ଅସହାୟ ଏକଲାପଣ ତାଙ୍କ ପାଇଁ ସାଜିଛି ଅଭିଶାପ। ଘଟଣା ହେଉଛି, ମୟୂରଭଞ୍ଜ ଜିଲ୍ଲା ମୋରଡାର। ଆଉ ବୃଦ୍ଧ ବ୍ୟକ୍ତି ଜଣକ ହେଉଛନ୍ତି କ୍ଷିରୋଦ ଦେହୁରୀ। ବୟସ ତାଙ୍କୁ ଏବେ ପାଖାପାଖି ୭୦ ବର୍ଷ। ବୟସ ବଢିଛି ସିନା, ଠା ବାସ ପାଇଁ ବସାଟିଏ ନାହିଁ। ବାପା କରିଥିବା ଘର ଖଣ୍ଡକ ଥିଲା ଯେ, ଭାଙ୍ଗିଲା ପରେ ଏବେ ୧୨ ଦୁଆର ଶୁଣ୍ଢିପିଣ୍ଡା ହେବାକୁ ବାଧ୍ୟ ହେଉଛନ୍ତି କ୍ଷିରୋଧ।
ଅନାହାରରେ ଦେଢ଼ ମାସରୁ ଉର୍ଦ୍ଧ୍ବ ଥଣ୍ଡା କାକରରେ ପଡ଼ିରହିଛନ୍ତି ଜଣେ ବୃଦ୍ଧ। ସରକାର ଅନାହାରରେ କେହି ରହିବେନି ବୋଲି ଡିଣ୍ଡିମ ପିଟୁଥିବା ବେଳେ ପ୍ରଶାସନ ମିଛର ଡିଣ୍ଡିମ ପିଟୁଛି ଏହି ଦୃଶ୍ୟ।
ସରକାରଙ୍କ ଯୋଜନାକୁ ଚାହିଁ ଚାହିଁ ଆଖିରୁ ପାଣି ଶୁଖିଲା। କେତେବେଳେ ସରକାର କିମ୍ବା ପ୍ରଶାସନ ଟିକେ ଆଡ଼ ଆଖିରେ ଚାହିଁଦେବେ ସେହି ଦିନକୁ ଅପେକ୍ଷା କରୁଥିଲେ କ୍ଷୀରୋଦ ଦେହୁରୀ। କିନ୍ତୁ ସରକାର ପ୍ରଶାସନିକ ଅଧିକାରୀ କିମ୍ବା ରାଜନେତା କାହାରି ନଜର ପଡିଲାନି ତାଙ୍କ ଉପରେ।
କ୍ଷିରୋଧଙ୍କ ଦୁଃଖ କାହାଣୀ ଶୁଣିଲେ ଆପଣ ବି କାନ୍ଦିବେ। ଗଲା ଲଗାଣ ବର୍ଷାରେ ତାଙ୍କ ଘର ଭାଙ୍ଗିଗଲା। ଘର ସଜାଡିବାକୁ ତାଙ୍କ ପାଖରେ ସମ୍ବଳ ନ ଥିଲା। ଆଉ ଶେଷରେ ସେ ଆଦରି ନେଇଥିଲେ, ଏ ଗଛ ମୂଳକୁ। ଦେହ ଅସୁସ୍ଥ ହେଲା। ଆଉ ଚାଲିବୁଲି ପାରିଲେ ନାହିଁ। ଏହି ଦୋକାନ ଘର ବାରଣ୍ଡା ପାଲଟିଗଲା ଆଶ୍ରୟସ୍ଥଳୀ।
ଏପର୍ଯ୍ୟନ୍ତ ନା ତାଙ୍କୁ ସରକାରଙ୍କ ପାଖରୁ ପକ୍କା ଘର ମିଳିଛି ନା ମିଲିଛି ଭତ୍ତା କି ରାଶନ୍ କାର୍ଡ। ପୁଅ ବୋହୁ ନିଜର ପେଟ ପାଇଁ ଦାଦନ ଖଟିବାକୁ ଇଟା ଯାଇଛନ୍ତି। ଆଉ ଏଠି ଭୋକ ଉପାସରେ ମରଣକୁ ଅପେକ୍ଷା କରିଛନ୍ତି ବୃଦ୍ଧ। ତାଙ୍କ ପାଇଁ ସରକାରୀ ଯୋଜନା ଖାଲି ଗୋଟିଏ ପ୍ରହେଳିକା।