ଏ ହେଉଛନ୍ତି ସାଇଁକୂଳ ଗାଁର କୃଷ୍ଣଚନ୍ଦ୍ର ପରିଡ଼ା । ପତ୍ନୀ ଏବଂ ତିନି ପୁଅଙ୍କୁ ନେଇ ବେଶ ହସଖୁସିରେ ଚଳୁଥିଲେ । କିନ୍ତୁ ବଡ଼ ହେଲା ପରେ ଜଣେ ପୁଅ ଆଉ ଜଣଙ୍କର ପୁଅ ହୋଇ ଯାଇଥିବା ବେଳେ ଅନ୍ୟ ଦୁଇ ପୁଅ ବାପା-ମା’ ଙ୍କୁ ବୃଦ୍ଧ ଅବସ୍ଥାରେ ଛାଡ଼ି ବାହାରେ ରହୁଛନ୍ତି । ଶେଷରେ କୃଷ୍ଣଚନ୍ଦ୍ରଙ୍କ ଅଣ୍ଟା ଯନ୍ତ୍ରଣା ହେଉଥିବାରୁ କୃଷ୍ଣଚନ୍ଦ୍ର ମଧ୍ୟ କାମ ଧନ୍ଦା କରି ପାରୁନାହାନ୍ତି ।
ଏଭଳି ବୃଦ୍ଧ ଅବସ୍ଥାରେ କୃଷ୍ଣଚନ୍ଦ୍ର ନିଜର ରୋଗୀଣା ପତ୍ନୀକୁ ଧରି ଏହି ଜରିପାଲ ଟଙ୍ଗା ଭଙ୍ଗା କୁଡିଆରେ ରହୁଛନ୍ତି । ଏଭଳି ଅବସ୍ଥାରେ ପ୍ରଶାସନ ନିକଟରେ ବାରମ୍ବାର ଆବେଦନ ପରେ ମଧ୍ୟ ଘର ଖଣ୍ଡିଏ ମିଳୁନାହିଁ ବୋଲି କ୍ଷୋଭର ସହ କୃଷ୍ଣଚନ୍ଦ୍ର କହିଛନ୍ତି । ବହୁ ଦୁଃଖ କଷ୍ଟରେ ରହୁଥିବାବେଳେ ତାଙ୍କୁ ଘର ଖଣ୍ଡିଏ ଯୋଗାଇବା ପାଇଁ ସରକାରଙ୍କ ନିକଟରେ ଗୁହାରି କରିଛନ୍ତି କୃଷ୍ଣଚନ୍ଦ୍ରଙ୍କ ପତ୍ନୀ ରାଧାରାଣୀ ପରିଡ଼ା ।
କୃଷ୍ଣଚନ୍ଦ୍ର ଏହି ଭଙ୍ଗା ଦଦରା ଘରେ ଅତି ଦୟନୀୟ ଭାବେ ରହୁଛନ୍ତି । ଏହି ଅବସ୍ଥାରେ ପୁଅମାନେ ପଚାରୁ ନଥିବାରୁ ଦି ଓଳି ଦି ମୁଠା ଖାଇବା ଯୋଗାଡ କରିବାକୁ ବି ଏମାନଙ୍କ ପକ୍ଷେ କଷ୍ଟ ହେଉଛି । ତେଣୁ ସରକାର କୃଷ୍ଣଚନ୍ଦ୍ରଙ୍କୁ ସହାୟତା ପ୍ରଦାନ କରିବା ପାଇଁ ଗ୍ରାମବାସୀ ଦାବି କରିଛନ୍ତି । ଅନ୍ୟ ପକ୍ଷରେ ତୁରନ୍ତ ତଦନ୍ତ କରାଯାଇ କୃଷ୍ଣଚନ୍ଦ୍ର ଙ୍କୁ ଆବାସ ଯୋଜନା ରେ ସାମିଲ କରାଯିବା ସହ ସରକାରୀ ସହାୟତା ପ୍ରଦାନ କରାଯିବ ବୋଲି ଆନନ୍ଦପୁର ଉପଜିଲ୍ଲାପାଳ ଅନୀଲ କୁମାର ସେଠୀ କହିଛନ୍ତି । ତେବେ କେବେ ଏମାନଙ୍କୁ ଏମାନଙ୍କ ହକ୍ ମିଳୁଛି ତାହା ଦେଖିବାର କଥା ।