କୁଖ୍ୟାତ ଆନ୍ତଃରାଜ୍ୟ ଲୁଟେରା ହେମନ୍ତ ଦାସ । ତାଙ୍କ ନାଁ ରେ ଖାଲି ଓଡିଶାରେ ନୁହେଁ ପଶ୍ଚିମବଙ୍ଗ ଓ ମାହାରାଷ୍ଟ୍ରରେ ମଧ୍ୟ ମାମଲା ରହିଛି । ଏପର୍ଯ୍ୟନ୍ତ ସେ 200ରୁ ଅଧିକ ଚୋରି କରିଥିବାବେଳେ ତାଙ୍କ ବିରୋଧରେ 110ରୁ ମାମଲା ରହିଥିବା ନେଇ ସୂଚନା ଦେଇଛନ୍ତି କଟକ ଏସିପି ଅମରେନ୍ଦ୍ର ପଣ୍ଡା ।
ଗତ 29 ତାରିଖରେ କଟକ ବିକାଶ ନଗରରେ ଜଣେ ବ୍ୟକ୍ତିଙ୍କ ଘରୁ ସୁନା ଓ ଟଙ୍କା ଚୋରି ମାମଲାରେ ତାଙ୍କୁ ଗିରଫ କରିଛି ବାଦାମବାଡି ଥାନା ପୋଲିସ । ତାଙ୍କ ଠାରୁ 60 ଗ୍ରାମ୍ ର ସୁନା ଓ ଟଙ୍କା ମଧ୍ୟ ଜବତ କରିଛି ପୋଲିସ । ତେବେ ଏହି ପ୍ରଥମ ଥର ଧରା ପଡିନାହାନ୍ତି କି ପ୍ରଥମ ଥର ଚୋରି କରୁନାହାନ୍ତି । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ସେ 1986 ମସିହାରୁ ସାରା ଦେଶରେ ଚୋରି କରିଆସୁଛନ୍ତି । ଆଉ ଧରାପଡିଲେ କହୁଛନ୍ତି ମୁଁ ଚୋରି କରୁଛି ଆଉ ଆଗକୁ କରି ପାରେ ନପାରେ । ମୁଁ ଚାପରେ ଅଛି..ଚୋରି କରୁଛି । କିଏ ଚାପ ପକାଉଛି ପଚାରିବାରୁ ସେ ବିଷୟରେ ସେ କିଛି କହୁନାହାନ୍ତି ।
ଗତ ଅକ୍ଟୋବର ମାସରେ ସେ ଚୋରି ମାମଲାରେ କମିଶନରେଟ ପୋଲିସ ହାତରେ ଧରାପଡିଥିଲେ । ଆଉ କହିଥିଲେ ଯେ ଏକ ସାଧାରଣ ମାମଲାରେ ଜେଲ୍ ଯାଇଥିଲେ । ଜେଲ୍ ରେ ଥିବାବେଳେ ଜଣେ ଚୋର ସଂସ୍ପର୍ଶରେ ଆସିଥିଲେ । ଆଉ ତା ସଂସ୍ପର୍ଶରେ ଆସି ସେବେଠୁ ଚୋରି କରୁଛନ୍ତି । ଆଉ ଲୋକଙ୍କୁ ପରାମର୍ଶ ଦେଇଥିଲେ ଯେ କିଏ ମଧ୍ୟ ଏଭଳି ଲାଇନ୍ ବାଛନ୍ତୁନି । ଚୋରି କରନ୍ତୁନି । ଗତ ଅକ୍ଟବୋର ମାସରେ ଲୋକଙ୍କୁ ଚୋରି ନକରିବାକୁ ପରାମର୍ଶ ଦେଇଥିବାବେଳେ ପୁଣି ଥରେ ଚୋରି କରିଛନ୍ତି । ଆଉ ଆଗକୁ ମଧ୍ୟ ଚୋରି କରିବି ବୋଲି ଦମ୍ଭୋକ୍ତିରେ କହିଛନ୍ତି । ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ।