ରାଜ୍ୟ ସରକାରଙ୍କୁ ହାଇକୋର୍ଟଙ୍କ ନିର୍ଦ୍ଦେଶ ଦେଇ କହିଛନ୍ତି ବିଶେଷଜ୍ଞ କମିଟି ଗଢ, ପଦକ୍ଷେପ ନିଅ । ମାମଲାରେ ୨୦୧୭, ଅଗଷ୍ଟ ୩୦ରେ କେନ୍ଦ୍ର ସରକାର ଜବାବ ଦାଖଲ କରିଥିବା ସମୟରେ ଓଡ଼ିଶା ସରକାର ଓ ଝାଡଖଣ୍ଡ ସରକାର ଏ ପର୍ଯ୍ୟନ୍ତ ଜବାବ ଦାଖଲ କରି ନାହାନ୍ତି । ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ. ମୁରଲୀଧର ଓ ଜଷ୍ଟିସ ଚିତ୍ତରଂଜନ ଦାଶଙ୍କୁ ନେଇ ଗଠିତ ଖଣ୍ଡପୀଠ ଶୁଣାଣି କରି କହିଛନ୍ତି ଯେ ଆବେଦନକାରୀ ଯେଉଁ ପ୍ରସଙ୍ଗ ନେଇ ଚିନ୍ତାପ୍ରକଟ କରିଛନ୍ତି ତାହା ଉପରେ ରାଜ୍ୟ ସରକାର ପଦକ୍ଷେପ ନେଇ ପାରିବେ । ଏଥିପାଇଁ ଆବେଦନକାରୀଙ୍କ ରିଟ୍ ଆବେଦନକୁ ସ୍ମାରକପତ୍ର ଭାବେ ଗ୍ରହଣ କରାଯିବ । ଏହା ଉପରେ ରାଜ୍ୟ ସରକାର ବିଚାର କରି ନିଷ୍ପତ୍ତି ଗ୍ରହଣ କରିବେ । ଗ୍ରହଣ କରାଯିବାକୁ ଥିବା ନିଷ୍ପତ୍ତି ସଂକ୍ରାନ୍ତରେ ୮ ସପ୍ତାହ ଭିତରେ ଆବେଦନକାରୀଙ୍କୁ ଅବଗତ କରାଯିବ ବୋଲି ହାଇକୋର୍ଟ କହିବା ସହିତ ମାମଲାର ଶୁଣାଣିରେ ଅନ୍ତ ଘଟାଇଛନ୍ତି ।
ସୂଚନା ଅନୁସାରେ, ବ୍ରାହ୍ମଣୀ ନଦୀ ଝାଡଖଣ୍ଡ ରାଜ୍ୟର ଉପରମୁଣ୍ଡରେ ସାଉଥ କୋଏଲ ନଦୀ ଭାବେ ରାଞ୍ଚିର ନାଗରି ଗ୍ରାମରୁ ବାହାରିଛି। ଏହାର ମୁଖ୍ୟ ଶାଖା ନଦୀ ଗୁଡିକ ହେଲା ଶଙ୍ଖ, ଟିକ୍ରା ଓ କାରୋ । ଓଡ଼ିଶାରେ ଏହା ପବିତ୍ର ବ୍ରାହ୍ମଣୀ ନଦୀ ଭାବେ ପ୍ରବାହିତ ହେଉଛି । ଖରସ୍ରୋତା ମଧ୍ୟ ଏଥିରୁ ବାହାରିଛି । ଝାଡଖଣ୍ଡ ସରକାର ଉପରମୁଣ୍ଡରେ ଏକାଧିକ ବ୍ୟାରେଜ ଓ ଡ୍ୟାମ ନିର୍ମାଣ କରିଛନ୍ତି ବୋଲି ଅଭିଯୋଗ ହୋଇଛି ।