ଅର୍ଗସ ବ୍ୟୁରୋ: କୋଟିଆ ପ୍ରସଙ୍ଗକୁ ନେଇ ହାଇକୋର୍ଟରେ ମାମଲା ଦାୟର । ଜନସ୍ୱାର୍ଥ ମାମଲା ଦାୟର କରିଛି ଭାରତୀୟ ବିକାଶ ପରିଷଦ । ସୀମା ସୁରକ୍ଷା ନେଇ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେବାକୁ ଅପିଲ୍ କରିଛି ବିକାଶ ପରିଷଦ । ଆନ୍ଧ୍ର କରୁଥିବା ନିର୍ବାଚନ ବନ୍ଦ କରିବାକୁ ପଦକ୍ଷେପ ନେଇ ନିର୍ଦ୍ଦେଶ ଦେବାକୁ ଅପିଲ୍ କରିଛନ୍ତି । ମାମଲାରେ ଗୃହ ଓ ରାଜସ୍ୱ ସଚିବ ତଥା ୩ ଜିଲ୍ଲାପାଳଙ୍କୁ ପକ୍ଷଭୁକ୍ତ କରିଛି ଭାରତୀୟ ବିକାଶ ପରିଷଦ ।
ସୂଚନାନୁସାରେ, କୋଟିଆ ଅଭିମୁଖେ ବାହାରିଛନ୍ତି ବିଜେପି ପ୍ରତିନିଧି ଦଳ । ରାଜ୍ୟ ସଭାପତି ସମୀର ରଞ୍ଜନ ମହାନ୍ତି, ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ ଓ ବରିଷ୍ଠ ନେତା ଭୃଗୁ ବକ୍ସିପାତ୍ର ପ୍ରମୁଖ ରାୟଗଡାରେ ରାତ୍ରି ଯାପନ କରି ଆଜି ସକାଳେ ଅଧିଷ୍ଠାତ୍ରୀ ଦେବୀ ମାଆ ମଝି ଘରିଆଣିଙ୍କୁ ପୂଜାର୍ଚ୍ଚନା କରିଛନ୍ତି । ଆଜି ଜିଲ୍ଲା ବିଜେପି ପକ୍ଷରୁ ବିଜେପି ପ୍ରତିନିଧି ଦଳଙ୍କୁ ଏକ ରାଲିରେ ସହର ପରିକ୍ରମା କରାଯାଇଥିଲା । ବିଜେପି ପ୍ରତିନିଧି ଆଜି କୋଟିଆ ଯାଇ ସେଠାକାର ଲୋକଙ୍କ ସହ ଆଲୋଚନା କରିବେ ।
ତେବେ ରାଜ୍ୟରେ କେବଳ କୋଟିଆ ନୁହେଁ, ଅନେକ ସ୍ଥାନରେ ସୀମା ସମସ୍ୟା ଲାଗି ରହିଛି । ଏହି ସମସ୍ୟାର ସମାଧାନ ଦିଗରେ ରାଜ୍ୟ ସରକାର ସମ୍ପୂର୍ଣ୍ଣ ଫେଲ ମାରିଛନ୍ତି ବୋଲି କହିଛନ୍ତି ସମୀର ମହାନ୍ତି । ଏନେଇ କୋଟିଆ ବୁଲି କେନ୍ଦ୍ର ସରକାରଙ୍କୁ ସମ୍ପୂର୍ଣ୍ଣ ତଥ୍ୟ ଜଣାଇବ ବୋଲି ସେ କହିଛନ୍ତି । ଅପରପକ୍ଷେ ସାରଳା ଛକ ସ୍ଥିତ ଆଦିବାସୀ ବଜାର ବୁଲି ଅବ୍ୟବସ୍ଥା ନେଇ ସେ ଦୁଃଖ ପ୍ରକାଶ କରିଥିଲେ ।