ଅର୍ଗସ ବ୍ୟୁରୋ: ଘଞ୍ଚ ଜଙ୍ଗଲ ଆଉ ପାହାଡ ଭିତରେ ଫସିଛି ଜୀବନ । ନା ବିକାଶ ଦେଖୁଛି ନା ସୁବିଧା ପାଉଛି । ବଣ ମଣିଷ ଭଳି ବିତୁଛି ଜୀବନ । ଯେଉଁଠିକୁ ଚାହିଁବେ ସମସ୍ୟା ହିଁ ସମସ୍ୟା । ରାସ୍ତାଘାଟଠୁ ଶିକ୍ଷା, ସ୍ବାସ୍ଥ୍ୟ, ପାନୀୟ ସବୁ ଏଠି ସ୍ବପ୍ନ । ଆବାଡା ଖାବଡା, ପଥର ଗୋଡି ରାସ୍ତା। ମଝିରେ ଛୋଟ ବଡ ନାଳ। ଚାଲିକି ଯିବା ହେଉ କି ଗାଡି ନେଇ ଯିବା । ନାକେଦମ୍ ମଣିଷ। ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଲକ ତୁମ୍ବା, ବୁରାତଲ ଓ ଆଙ୍କୁଲି ପଞ୍ଚାୟତରୁ । ଆନ୍ଧ୍ର ସୀମାନ୍ତରେ ରହିଛି ପାତ୍ରପୁର ବ୍ଳକର ତୁମ୍ବା ଏବଂ ବୁରାତାଲ ପଂଚାୟତର କେତେକ ଗାଁ । ଯେଉଁଠି ସ୍କୁଲ ନଥିବାରୁ ପିଲାମାନେ ରାତି ପାହିଲେ ବନ୍ୟଜନ୍ତୁଙ୍କ ଭୟ, ବିପଦପୂର୍ଣ୍ଣ ଏହି ରାସ୍ତା ଦେଇ ପ୍ରତିଦିନ ଯାଇଥାନ୍ତି ପାଠପଢିବା ପାଇଁ । ଖାଲି ସେତିକି ନୁହେଁ, ହଠାତ୍ କାହାର ଦେହ ଖରାପ ହେଲେ ଏଠି ଅରକ୍ଷିତକୁ ଦଇବ ସାହା ଭଳି ଲୋକଙ୍କୁ ଦୋଳା ଆଉ ଖଟିଆ ସାହା ।
ସ୍ବାଧୀନତାର ଦୀର୍ଘ ବର୍ଷ ପରେ ବି ବିଜୁଳି ଆଲୁଅ ଦେଖିଲେନି 50ଟି ଗାଁର ଆଦିବାସୀ ପରିବାର । ସୂର୍ଯ୍ୟ ଅସ୍ତ ହେଲେ ମାତ୍ରେ ଅନ୍ଧାର ଭିତରେ ହଜିଯାଏ ପୁରା ଗାଁ । ପ୍ରତି ଘରେ ଜଳେ ଡିବିରି । ଟର୍ଟ୍ଟ ଆଲୁଅରେ ଚାଲେ ସବୁ କାମ । ବିଜୁ ଜ୍ୟୋତି ଯୋଜନାରେ ତିନି ପଞ୍ଚାୟତର ୧୬ ଗାଁ ସାମିଲ ହୋଇଛି । ହେଲେ ଉଦ୍ବେଗର ବିଷୟ, ସର୍ଭେରେ ଅଟକି ରହିଛି କଥା । ସେହିପରି ଶୁଦ୍ଧ ପାନୀୟ ଜଳ ଟୋପାଏ ଲାଗି ସଂଘର୍ଷ କରିବାକୁ ପଡେ । ଘଞ୍ଚ ଜଙ୍ଗଲ ରାସ୍ତା ଦେଇ ଗରା, ବାଲ୍ଟି ଧରି ମହିଳାମାନେ ଏହି ଦୂଷିତ ପାଣି ଆଣିବାକୁ ଯାଇଥାନ୍ତି ।
ଅଧିକ ପଢ଼ନ୍ତୁ ଓଡିଶା ଖବର: