
ପୁରୀ: ଟାଣି ଆଣିଲା କାଳିଆର ଡୋରି । ଜଗତର ନାଥ ଜଗନ୍ନାଥଙ୍କୁ ଦେଖିବା ପାଇଁ ୧୩୦ ଜଣ ପାକିସ୍ତାନ ହିନ୍ଦୁ ପର୍ଯ୍ୟଟକ ପୁରୀ ଆସିଛନ୍ତି । ପାକିସ୍ତାନ କରାଚିର ସିନ୍ଧରୁ ମୋଟ ୧୩୦ ଜଣ ଯାତ୍ରୀ ବିଭିନ୍ନ ଧାମ ଯାତ୍ରା କରିବାକୁ ଭାରତ ଆସିଛନ୍ତି ।
ସେମାନଙ୍କ ମଧ୍ୟରୁ ୫୦ରୁ ଊର୍ଦ୍ଧ୍ୱ ଯାତ୍ରୀ ଗତକାଲି ରାତିରେ ପୁରୀ ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ଦର୍ଶନ କରିଛନ୍ତି । ସେମାନେ ପ୍ରଥମେ ମଥୁରା ଦର୍ଶନ କରି ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି । ଉଭୟ ଦେଶରେ ଶାନ୍ତି ବିରାଜମାନ ସହ ବନ୍ଧୁତ୍ୱପୂର୍ଣ୍ଣ ଭାବ ସୁଦୃଢ ହେଉ ବୋଲି ସେମାନେ ମହାପ୍ରଭୁଙ୍କ ନିକଟରେ କୃପାଭିକ୍ଷା କରିଛନ୍ତି।
ପ୍ରତିବର୍ଷ ନୂଆବର୍ଷ ଅବସରରେ ଏହି ପର୍ୟ୍ୟଟକମାନେ ଓଡିଶା ଇଣ୍ଟରନ୍ୟାସନାଲ ସେଣ୍ଟର ସହାୟତାରେ ମହାପ୍ରଭୁଙ୍କ ଦର୍ଶନ କରିବାକୁ ଆସିଥାନ୍ତି। ପୁରୀରୁ ଯିବା ପରେ ହରିଦ୍ୱାର, ବୃନ୍ଦାବନ ହୋଇ ସେମାନେ ପାକିସ୍ତାନ ଫେରିଯିବେ ବୋଲି କହିଛନ୍ତି।
