ଲଗାତାର ୩ ବର୍ଷ ହେବ ଓଡିଶା- ଛତିଶଗଡ ଜଳ ପରିଚାଳନା ସମ୍ମନ୍ନୟ ବୈଠକରେ ଛତିଶଗଡ ସାମିଲ ହେଉନି। ତେଣୁ ଛତିଶଗଡ ପଟୁ ମହାନଦୀରେ ପାଣି ଛଡ଼ାଯିବା ସମ୍ପର୍କିତ କୌଣସି ତଥ୍ୟ ଓଡ଼ିଶାକୁ ମିଳିପାରୁନି। ଯାହା ହୀରାକୂଦ ଜଳ ପରିଚାଳନାରେ ସମସ୍ୟା ସୃଷ୍ଟି କରୁଛି। ଏଥିପାଇ ମହାନଦୀ ଜଳ ବିବାଦ ଟ୍ର୍ୟୁବନାଳକୁ ଅବଗତ କରାଇଛି ଓଡ଼ିଶା।ପ୍ରତିବର୍ଷ ପରି ହୀରାକୁଦ ଦେଇ ମହାନଦୀ ପାଣି ସମୁଦ୍ରକୁ ଚାଲିଯିବ। ଆଉ ବର୍ଷାଦିନ ପରେ ଯେତେବେଳେ ଛତିଶଗଡ଼ କଲମା ବ୍ୟାରେଜର ଗେଟ୍ ବନ୍ଦ କରିଦେବ ଶୁଖିଲା ପଡ଼ିବ ମହାନଦୀ ଶଯ୍ୟା। ପାଣି ପାଇଁ ଡହଳ ବିକଳ ହେବେ ମହାନଦୀ ଓ ଶାଖା ନଦୀ ଉପରେ ନିର୍ଭର କରୁଥିବା ଲୋକେ।
2016ରେ ଯେତେବେଳେ ମହାନଦୀ ଜଳକୁ ନେଇ ଛତିଶଗଡ଼ ସହ ବିବାଦ ହୋଇଥିଲା ବିଜେଡି ସରକାର ଏହାକୁ ନିର୍ବାଚନୀ ପ୍ରସଙ୍ଗ କରିଥିଲେ। ଖୋଦ୍ ମୁଖ୍ୟମନ୍ତ୍ରୀ ଝାରସୁଗୁଡ଼ାରେ ଆରମ୍ଭ କରିଥିଲେ ମହାନଦୀ ସୁରକ୍ଷା ଅଭିଯାନ । ଏହାପରେ ୨୦୧୭ ପଞ୍ଚାୟତ ନିର୍ବାଚନ ପୂର୍ବରୁ ମହାନଦୀକୁ ମା ବୋଲି କହି ଆନ୍ଦୋଳନ କରିଥିଲା ଶାସକ ଦଳ। ମହାନଦୀ ଜଳ ସମସ୍ୟାର ସମାଧାନ ପାଇଁ ୨୦୧୮ ମେ ୧୨ରେ ତଳ ମୁଣ୍ଡରେ ୭ଟି ବ୍ୟାରେଜ୍ ନିର୍ମାଣ ନେଇ ଘୋଷଣା କରିଥିଲେ ରାଜ୍ୟ ସରକାର। ଏଥିପାଇଁ ମାଷ୍ଟର ପ୍ଲାନ ପ୍ରସ୍ତୁତ ହୋଇଥିବା କହିଥିଲେ ତତକାଳୀନ ଜଳ ସମ୍ପଦ ସଚିବ।
କିନ୍ତୁ ପ୍ରତିଶ୍ରୁତିକୁ ୫ ବର୍ଷ ପୂରଣ ହୋଇଥିଲେ ବି ପ୍ରସ୍ତାବିତ ସ୍ଥାନରେ ଇଟା ଖଣ୍ଡେ ବି ପଡିଲାନି। ଫଳରେ ବର୍ଷାଦିନେ ସମୂଦ୍ରକୁ ବହି ଯାଉଛି ମହାନଦୀର ୫୩ ପ୍ରତିଶତ ପାଣି। ମା କହି ମହାନଦୀକୁ ସାବତ ମା କରିଦେଲେ ବିଜେଡି ସରକାର। ମହାନଦୀକୁ ପ୍ରସଙ୍ଗ କରି 2017 ପଞ୍ଚାୟତ ଓ 2019 ବିଧାନସଭା ନିର୍ବାଚନ ପାର ହେବା ପରେ ରାଜ୍ୟ ସରକାର ଓ ବିଜେଡି ପାଇଁ ମହାନଦୀ ଏବେ ଅପ୍ରାସଙ୍ଗିକ ହୋଇଥାଇପାରେ କିନ୍ତୁ ଓଡ଼ିଶାବାସୀଙ୍କ ପାଇଁ ମହାନଦୀ ଏବେବି ଜୀବନ ରେଖା। ଯାହା ରାଜ୍ୟ ସରକରାଙ୍କ ଅପାରଗତା ଯୋଗୁଁ ବର୍ଷରେ 8 ମାସ ଶୁଖିଲା ପଡୁଛି।
ଅଧିକ ପଢ଼ନ୍ତୁ ଓଡିଶା ଖବର: