‘ଆଣ୍ଠୁଆ ବସେଇ ଦେଲି ତ କ’ଣ ହେଲା ସେଇଠୁ ! ’
ଦିଦି ଭାରି ଟିଙ୍ଗା। ଦିନ ତମାମ ଛୁଆଙ୍କୁ ଆଣ୍ଠୁଆ ବସେଇ ଆଣ୍ଠୁରେ ଘା’ କରିଦେଲେ। ପିଲାଙ୍କ ଚେତା ବୁଡିଲା। ଆଉ ପଚାରିଲା ବେଳକୁ ସାମ୍ବାଦିକଙ୍କୁ ପାଠ ପଢାଇଲେ। ଦଣ୍ଡ ମୁକ୍ତ ଅଞ୍ଚଳରେ ଦଣ୍ଡ ଦେଇ ମନ ଶାନ୍ତି ହେଲାନି ଯେ, ସାମ୍ବାଦିକଙ୍କୁ ପଢାଇଲେ କର୍ତ୍ତବ୍ୟର ପାଠ।
ତୁମେ ଅମୁକ କରିବା କଥା ସମୁକ କରୁଛ, ତୁମେମାନେ ମୋ ଚାକିରି ଖାଇବାକୁ ଆସିଛ। ମୋତେ ଜେଲ୍ ପଠାଇବାକୁ ଇଚ୍ଛା କରିଛ। ଏମିତି ଭଳିକି ଭଳି କଥା କହି ସାମ୍ବାଦିକଙ୍କୁ ନାଲିଆ ଆଖି ଦେଖାଇଛନ୍ତି କଟକ ଜିଲ୍ଲା ମାହାଙ୍ଗା ଥାନା ଗୋକନ ଉଚ୍ଚ ବିଦ୍ୟାଳୟର ଶିକ୍ଷୟିତ୍ରୀ ନିଳୀମା ନାୟକ।
ଆଉ ଏତେ ସବୁ ଘଟଣାର ମୂଳ କାରଣ ହେଉଛି ୱାଟର ବଟଲ।
ସ୍କୁଲରେ ୮୦ ଜଣ ପିଲା ପାଠ ପଢୁଥିବା ବେଳେ ପିଲାମାନଙ୍କୁ ପାଣି ବୋତଲ ଧରି ସ୍କୁଲ ଆସିବାକୁ କୁହାଯାଇଥିଲା। ହେଲେ କୌଣସି କାରଣ ପାଇଁ ପିଲାମାନେ ବୋତଲ ଆଣି ନ ଥିଲେ ବୋଲି ଦିଦି ରାଗିଗଲେ ଆଉ ଦିନ ତମାମ ପିଲାମାନଙ୍କୁ ଆଣ୍ଠୁଆ ବସେଇ ଦେଲେ। କିଛି ସମୟ ପରେ ବେହୋସ୍ ହୋଇଗଲେ ଅନେକ ଛାତ୍ରୀ। ଏ କଥା ପାଇଁ ଅଭିଯୋଗ କରିବା ପରେ ଦିଦି ତାତି ଦେଖାଉଛନ୍ତି।
ସ୍କୁଲକୁ ଦଣ୍ଡମୁକ୍ତ ଅଞ୍ଚଳ ଘୋଷଣା କରି ପିଲାମାନଙ୍କୁ ହସି ଖେଳି ପଢାଇବାକୁ ବ୍ୟବସ୍ଥା ହେଉଥିବା ବେଳେ ନିଳୀମା ଦିଦି ଏଥିରେ ବ୍ୟତିକ୍ରମ ଦେଖାଇଛନ୍ତି।
ଗଣମାଧ୍ୟମ ପ୍ରତିନିଧି ତାଙ୍କୁ ଏ ସମ୍ପର୍କରେ ପଚାରିବାରୁ ସାମ୍ବାଦିକର କର୍ତ୍ତବ୍ୟ ବୁଝାଇଛନ୍ତି। ଏମିତିକି ତାଙ୍କ ଚାକରି ଖାଇବାକୁ ସାମ୍ବାଦିକମାନେ ଆସିଥିବା ଅଯଥା ଅଭିଯୋଗ ମଧ୍ୟ ଲଗାଇଛନ୍ତି।
ସୂଚନାଯୋଗ୍ୟ, ସମ୍ପୃକ୍ତା ହିଟଲର ଦଦିଦିଙ୍କ ସ୍ବାମୀ ହେଉଛନ୍ତି ବ୍ଲକ ଅଧ୍ୟକ୍ଷ ଶରତ କୁମାର ନାୟକ। ବିଜେଡି ସମର୍ଥିତ ନେତା ହୋଇଥିବାରୁ ସବୁ କଥାରେ ତାଙ୍କର ଦବଦବା ଦେଖାଉଛନ୍ତି। ଆଉ ଦିଦି ମଧ୍ୟ ସ୍ୱାମୀଙ୍କ ଟାଣ ପଣ ଦେଖାଇବାକୁ ସମସ୍ତଙ୍କୁ ନାଲିଆଖି ଦେଖାଉଛନ୍ତି। ଏ ଘଟଣା ତାଙ୍କ ପାଇଁ କିଛି ନୂଆ କଥା ନୁହେଁ।