ଖାଲି ଜାତୀୟ ନୁହେଁ, ଅନ୍ତର୍ଜାତୀୟସ୍ତରରେ ମଧ୍ୟ ସେ ଭାରତକୁ ପ୍ରତିନିଧିତ୍ବ କରିସାରିଛନ୍ତି । ଦକ୍ଷିଣ ଆଫ୍ରିକାରେ ଆୟୋଜିତ କନିଷ୍ଠ ବର୍ଗରେ ୪ଟି ମ୍ୟାଚରୁ ସେ ୮ଟି ଗୋଲ୍ ସ୍କୋର କରିଥିଲେ । କେନିଆରେ ବି ସେ ଚମତ୍କାର ହକି ଖେଳର ପ୍ରଦର୍ଶନ କରିଥିଲେ । କିନ୍ତୁ ମାଟି କାନ୍ଥ ଓ ଖପର ଘରେ ରହୁଥିବା ରଜତଙ୍କ ମେଡାଲ, କପ୍ ଓ ସାର୍ଟିଫିକେଟ୍ ଘର ଭିତରେ ଅଳିଆ ହୋଇପଡ଼ିରହିଛି । ହକି ପାଇଁ ସେ ଗୌରବ ପାଉଛନ୍ତି ସତ । ହେଲେ ସେଥିରେ ପରିବାରର ପେଟ ପୁରୁନି । ସେଥିପାଇଁ ଏବେ ରାଜ୍ୟ ସରକାରଙ୍କ ଆଗରେ ସେ ଚାକିରି ଖଣ୍ଡେ ପାଇଁ ହାତ ପାତିଛନ୍ତି । ହକି ପାଇଁ ଏବେ ସାରା ରାଜ୍ୟରେ ଉତ୍ସବର ମାହୋଲ । ଚାକଚକ୍ୟ ଓ ପ୍ରଚାର ପ୍ରସାର ଭିତରେ କିନ୍ତୁ ରାଜ୍ୟ ପାଇଁ ଗୌରବ ଆଣୁଥିବା ଖେଳାଳିଙ୍କୁ ପାଶୋରି ଦେଉଛନ୍ତି ରାଜ୍ୟ ସରକାର । ହେଲେ ଏଭଳି ଖେଳାଳି ଏବେ ଦୀପ ତଳ ଅନ୍ଧାର ଭଳି ଅବସ୍ଥାରେ ।

ଅର୍ଗସ ବ୍ୟୁରୋ : ଭାଗ୍ୟ ସବୁବେଳେ ଗୋଟେ ଅନ୍ୟମନସ୍କ ଗାଈଆଳ । ନା ସେ ବଂଶୀ ବଜାଇ ଜାଣେ । ନା ଗୋରୁପଲ ଜଗିପାରେ । ହେଲେ ସେ ଏକ ବର୍ଷାଋତୁ । ଯେଉଁଥିପାଇଁ ଖାଲି ନ ଥାଏ କିଛି ମଣିଷର ପେଜକୁଣ୍ଡ କି ପଖାଳବେଲା । ସମ୍ବଲପୁର ଜୁଜୁମୁରା ଗଡ଼ଲୋଇସିଂହ ମହାକୁଡ଼ପାଲିର ରଜତ ମିଞ୍ଜ । ବୟସ ସିନା ୨୧ ହେଲେ ହାତରେ ହକି ଷ୍ଟିକ ଧରିଲେ ସେ ପାଲଟିଯାଆନ୍ତି ଭିନ୍ନ ଏକ ଦୁନିଆର ମଣିଷ । ପିଲାଟି ବେଳୁ ଆକର୍ଷଣୀୟ ଖେଳ ଓ ଗୋଲ୍ ସ୍କୋରିଂ ଦକ୍ଷତା ରଜତଙ୍କୁ ସ୍ପୋର୍ଟସ୍ ଏକାଡେମିରେ ପହଞ୍ଚାଇଥିଲା । ୨୦୧୭ରେ ଚୟନ ସରିବା ପରେ ସେ ସେଲକୁ ପ୍ରତିନିଧିତ୍ବ କରିଥିଲେ । ଭଲ ପ୍ରଦର୍ଶନ ପରେ ଏବେ ସେ ଦିଲ୍ଲୀ ଧ୍ୟାନଚାନ୍ଦ ଜାତୀୟ ଷ୍ଟାଡିୟମରେ ଥିବା ସାଇ ହଷ୍ଟେଲରେ ରହୁଛନ୍ତି । ନୂଆଣିଆ ମାଟିକାନ୍ଥ ସାଙ୍ଗକୁ ପଖାଳ ବେଲା । ବାପାମାଆ କୁଲି ମଜୁରୀ କରି ଦି ପଇସା ଆଣିଲେ ପରିବାର ଚଳୁଛି ।
