କେନ୍ଦ୍ରର ଚିଠି ପରେ ଗ୍ରାଉଣ୍ଡ ଜିରୋକୁ ଯାଇ ସ୍ଥିତି ପରଖିଥିଲା ଅର୍ଗସ ଟିମ। ଆଉ ସେହି ସମୟରେ କ୍ୟାମେରାରେ କଏଦ ହୋଇଥିବା କିଛି ଭୂମିହୀନ ବାସବରାଙ୍କ ଦୁଃଖକୁ ବି ଦେଖିଲେ ସହିହେବନି। ଏ ହେଉଛନ୍ତି ଝାରସୁଗୁଡା ଲଖନପୁର ଚାଣ୍ଟିପାଲି ଗ୍ରାମର ଭଗବାନ ବଗର୍ତି । 3 ବର୍ଷ ହେବ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ପାଇଁ ଟଙ୍କା ଆସିଥିଲେ ବି ଜମି ଅଭାବରୁ ପକ୍କା ଘର ଖଣ୍ଡେ ତୋଳିପାରୁ ନାହାନ୍ତି ଭଗବାନ । ଏପରିକି ପ୍ରଶାସନର ପକ୍କା ପିଣ୍ଡାରେ ବାରମ୍ବାର ମୁଣ୍ଡ ପିଟିଲେ ଜମି ପଟ୍ଟା ଖଣ୍ଡେ ଯୋଗାଇ ଦିଆଯାଉନାହିଁ । ଯେଉଁଥିପାଇଁ ହୋଟେଲର ବାସନ ମାଜିବା ସହ ସେହିଠାରେ ହିଁ ମୁଣ୍ଡ ଗୁଞ୍ଜିଛନ୍ତି ଭଗବାନ । ଏଭଳି ସମାନ ପରିସ୍ଥିତି ଦେଖିବାକୁ ମିଳିଛି ମୟୂରଭଞ୍ଜ ବଡସାହି ବ୍ଲକର ହାଟସାହୀ ଠାରେ । ଏଠାକାର ସଂଜୁ ଗଛାଏତ ଜମି ପଟ୍ଟା ପାଇଁ ଆବେଦନ କରିଥିଲେ ବି ନ ମିଳିବା କାରଣରୁ ପକ୍କା ଘର ତୋଳି ପାରୁନାହାନ୍ତି ।
ବାଧ୍ୟ ହୋଇ ଫଟା ପଲିଥିନ ତଳେ ୬ପ୍ରଣୀ କୁଟୁମ୍ବ ଦିନକାଟୁଛନ୍ତି । ୨୦୧୪ ମସିହାରେ ବିଜେଡି ନିର୍ବାଚନ ଇସ୍ତାହରରେ କହିଥିଲା ସରକାରକୁ ଆସିଲେ ୨୦୧୯ ସୁଦ୍ଧା ରାଜ୍ୟର ସମସ୍ତ ଲୋକଙ୍କ ମୁଣ୍ଡ ଉପରେ ପକ୍କା ଘର ଯୋଗାଇ ଦେବ । ମାତ୍ର ବିଧାନସଭାର ସଦ୍ୟତମ ତଥ୍ୟ ଅନୁଯାୟୀ ବର୍ତ୍ତମାନ ବି ରାଜ୍ୟର ୧୨ ଲକ୍ଷ ୨୪ ହଜାର ୭୨୫ ପରିବାରର କଚ୍ଚା ଘରେ ରହୁଛନ୍ତି।ଅର୍ଥାତ ରାଜ୍ୟର ପ୍ରାୟ ୫୦ ଲକ୍ଷ ଲୋକଙ୍କ ମୁଣ୍ଡ ଉପରେ ପକ୍କା ଘର ନାହିଁ।