କିନ୍ତୁ ଗତ କିଛି ଦିନ ହେଲା ସ୍ଥିତି ସଙ୍କଟାପନ୍ନ ହେବାରେ ଲାଗିଛି । ନିଇତି କାମ ଦେଉଥିବା ବାବୁଙ୍କ ଆଉ ଦେଖାନାହିଁ । ପୂର୍ବରୁ କେଇ ମିନିଟ୍ ଅପେକ୍ଷା କଲେ, ଲାଗି ଯାଉଥିଲା ଗାଡ଼ି ।
କାମକୁ ଯାଉଥିଲେ ନଗଦ ଟଙ୍କା ନେଇ ଘରକୁ ଫେରୁଥିଲେ । ପୁଅର ପଢ଼ା ଖର୍ଚ୍ଚଠୁ ସ୍ତ୍ରୀର ଆବଶ୍ୟକତା, ସବୁ ସେଇଥିରୁ ଚଳେ। ଏବେ କିନ୍ତୁ ଏଇ ମେହନତି ମଣିଷଙ୍କ ତେଲ ଲୁଣର ସଂସାରରେ ପଡ଼ିଛି କୋରୋନା ଚଡ଼କ । କଳ୍ପନା ଏବଂ ଡେଲଟା ଛକରେ ଫି’ ଦିନ ଦେଖିବାକୁ ମିଳୁଛି ଏଭଳି ଦୃଶ୍ୟ ।
ସବୁ କିଛି ଠିକ ଠାକ ଥିଲା। କିନ୍ତୁ କରୋନାର ଦ୍ୱିତୀୟ ଲହର ଏମାନଙ୍କ ରୋଜଗାରର ଅଣ୍ଟା ଭାଙ୍ଗି ଦେଇଛି। ସଂକ୍ରମଣର ଭୟ ପାଇଁ ଏମାନଙ୍କୁ କାମକୁ କେହି ଡାକୁନାହାନ୍ତି। ଏଠି ନା ଚିହ୍ନା ଅଛି ନା ପରିଚୟ, ନିଜେ କାମ ଖୋଜିବା କାଠିକର ପାଠ। ଏବେ ବଢ଼ିବାରେ ଲାଗିଥିବା କଟକଣା ବୋଝ ଉପରେ ନଳିତା ବିଡ଼ା ସାଜିଛି।
ସକାଳର କଅଁଳ ଖରା ଦେଖି ଏମାନେ ଘରୁ ବାହାରୁଛନ୍ତି ସତ ସୂର୍ଯ୍ୟ ଯାଇ ମୁଣ୍ଡ ଉପରେ ପହଞ୍ଚିବାବେଳ ଯାଏଁ ମଧ୍ୟ କାମ ମିଳୁନି। ସକାଳ 8ରୁ 12 ଯାଏଁ ଏମାନେ କାଟୁଛନ୍ତି ଅନିଶ୍ଚିତତାର 4ଘଣ୍ଟା। ଫେରୁଛନ୍ତି ପୁଣି ଆଉ ଏକ ସକାଳୁ ଆସିବେ। ସାମ୍ନାରେ ଗୋଟିଏ ପ୍ରଶ୍ନ, ଆଜି ନହେଲା ନାହିଁ କାଲି କାମ ମିଳିବ ତ !