ଆଜି ଓଡ଼ିଶା ଓ ପଶ୍ଚିମବଙ୍ଗ ଲୋକଙ୍କୁ ବନ୍ଦେ ଭାରତ ଉପହାର ମିଳିଲା। ଏହି ଟ୍ରେନ୍ ଚାଲିବା ଦ୍ୱାରା ପୁରୀ-କୋଲକାତା ଯାତ୍ରା କେବଳ ସାଢ଼େ ୬ ଘଣ୍ଟା ହୋଇଯିବ। ଉଭୟ ରାଜ୍ୟ ମଧ୍ୟରେ ସାଂସ୍କୃତିକ ସଂପର୍କ ଆହୁରି ଘନିଷ୍ଠ ହେବ। ଏହାଦ୍ୱାରା ସମୟ ବଞ୍ଚିବ ଓ ବ୍ୟବସାୟ ବି ବଢ଼ିବ। ଏହି ଆଧୁନିକ ଟ୍ରେନ୍ ଭାରତର ଅର୍ଥ ବ୍ୟବସ୍ଥାକୁ ଗତି ଦେଉଛି। ବିଗତ ୯ ବର୍ଷ ହେଲାଣି ଓଡ଼ିଶାକୁ ରେଳ ଅନୁଦାନ ବଢ଼ି ଚାଲିଛି। ଖୋର୍ଦ୍ଧା-ବଲାଙ୍ଗିର ପ୍ରକଳ୍ପ ଅନେକ ବର୍ଷ ହେଲା ପଡ଼ି ରହିଥିଲା। ଏବେ ଏହି ପ୍ରକଳ୍ପ କାର୍ଯ୍ୟ ଦ୍ରୁତ ଗତିରେ ଚାଲୁଛି। ଓଡ଼ିଶାରେ ଶତ ପ୍ରତିଶତ ରେଳ ବିଦ୍ୟୁତକରଣ କାର୍ଯ୍ୟ ସମ୍ପନ୍ନ ହୋଇଥିବା କହିଛନ୍ତି ପ୍ରଧାନମନ୍ତ୍ରୀ ।ଏହି ଅବସରରେ ପୁରୀ ରେଳ ଷ୍ଟେସନରେ ଆୟୋଜିତ ଉଦଘାଟନୀ ଉତ୍ସବରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍, କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ, କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବିଧାୟକ ଜୟନ୍ତ କୁମାର ଷଡ଼ଙ୍ଗୀ, ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର ଓ ଆଇଟିଡିସି ଅଧ୍ୟକ୍ଷ ଡାକ୍ତର ସମ୍ବିତ ପାତ୍ର ପ୍ରମୁଖ ଯୋଗ ଦେଇଥିଲେ। ।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭର୍ଚୁଆଲ ମୋଡରେ କାର୍ଯ୍ୟକ୍ରମରେ ଯୋଡ଼ି ହେବା ସହ ବନ୍ଦେ ଭାରତ ଏକ୍ସପ୍ରେସ ଶୁଭାରମ୍ଭ ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି । ରାଜ୍ୟ ପାଇଁ ଆଉ 2ଟି ବନ୍ଦେ ଭାରତ ଟ୍ରେନ ଦାବି କଲେ ମୁଖ୍ୟମନ୍ତ୍ରୀ । ପୁରୀ-ରାଉରକେଲା ଓ ଭୁବନେଶ୍ୱର-ହାଇଦ୍ରାବାଦ ବନ୍ଦେ ଭାରତ ପାଇଁ ଦାବି କରିଛନ୍ତି । ପୁରୀ-କୋଣାର୍କ ନୂଆ ରେଳ ଲାଇନ ଅନୁମୋଦନ ପାଇଁ ଅନୁରୋଧ କରିଛନ୍ତି ନବୀନ ।ସେପଟେ ବନ୍ଦେ ଭାରତ ପରେ ଖୁବଶୀଘ୍ର ଆରମ୍ଭ ହେବ ବନ୍ଦେ ମେଟ୍ରୋ ।
ଏନେଇ ପୁରୀରେ ସୂଚନା ଦେଇଛନ୍ତି କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ । ଏହାସହ ବନ୍ଦେ ସ୍ଲିପର ମଧ୍ୟ ଚାଲିବ ବୋଲି ସୂଚନା ଦେଇଛନ୍ତି ଅଶ୍ୱିନୀ ବୈଷ୍ଣବ । ଏ ସମ୍ପର୍କରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନିକଟରେ ଦୁଇ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଓ ଧର୍ମେନ୍ଦ୍ର ପ୍ରଧାନ ଦାବି ରଖିବେ ବୋଲି ପୁରୀରେ କହିଛନ୍ତି ରେଳମନ୍ତ୍ରୀ । ଏହାସହ ଦ୍ୱିତୀୟ ବନ୍ଦେ ଭାରତ ପୁରୀ, ଭୁବନେଶ୍ୱର, କଟକକୁ ଯୋଡିବ । ଏବଂ ରାଉରକେଲା, ସମ୍ବଲପୁର, ଝାରସୁଗୁଡା, ଅନୁଗୁଳ, ତାଳଚେରକୁ ଯୋଡିବ । ସେପଟେ ପ୍ରଧାନମନ୍ତ୍ରୀ ହେବା ପରେ ଓଡ଼ିଶା ସବୁବେଳେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଫୋକସରେ ରହିଆସିଛି । ଯେଉଁଥି ପାଇଁ ପିଏମଙ୍କୁ ଧନ୍ୟବାଦ ଜଣାଇଛନ୍ତି କେନ୍ଦ୍ରଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ଅଧିକ ପଢ଼ନ୍ତୁ ଓଡିଶା ଖବର: