ପୁରୀ: ଆଜି ରବିବାର ହୋଇଥିବାରୁ ପୁରୀରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ ହୋଇଛି । ଦେବସ୍ନାନପୂର୍ଣ୍ଣମୀ ପାଇଁ ମାର୍କେଟ ଛକରୁ ବ୍ୟାରିକେଡ଼ ସହ ଶ୍ରୀନହର ନିକଟରୁ ଜିକଜ୍ୟାକ୍ ବ୍ୟାରିକେଡ଼ ହୋଇଛି । ଅନ୍ୟପଟେ ଶ୍ରୀନହର ସମ୍ମୁଖରେ ରଥଖଳାରେ ରଥନିର୍ମାଣ ଚାଲିଛି । ଫଳରେ ବଡଦାଣ୍ଡ ସଂକୀର୍ଣ୍ଣ ହୋଇପଡିଛି । ପ୍ରବଳ ଭିଡ଼ ଯୋଗୁଁ ଭକ୍ତ ଶ୍ରଦ୍ଧାଳୁ ଅଣନିଃଶ୍ୱାସୀ ହୋଇପଡୁଛନ୍ତି । ବିଶେଷ କରି ମହିଳା, ବୃଦ୍ଧବୃଦ୍ଧା ଓ ଛୋଟ ପିଲା ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ସେପଟେ ଦୁଇ ଦିନ ପରେ ଆଜି ପ୍ରଚଣ୍ଡ ଖାର ହେଉଛି । ଦୂରଦୂରାନ୍ତରୁ ଆସିଥିବା ଶ୍ରଦ୍ଧାଳୁମାନେ ଟାଣ ଖରାରେ କଲବଲ ହେଉଛନ୍ତି । ଏପରିକି କିଛି ଭକ୍ତ ବେହୋସ ହୋଇଯାଇଥିବା ମଧ୍ୟ ଦେଖିବାକୁ ମିଳିଛି ।
ପେଲା ଠେଲା ଦଳଚକଟା ଭଳି ପରିସ୍ଥିତି ସୃଷ୍ଟି ହୋଇଛି । ଆଉ ଗୋଟିଏ ଦିନ ପରେ ଦେବସ୍ନାନପୂର୍ଣ୍ଣମୀ ଥିବାବେଳେ ଏଭଳି ଅବ୍ୟବସ୍ଥାକୁ ନେଇ ବିଭିନ୍ନ ମହଲରେ ଉଦବେଗ ପ୍ରକାଶ ପାଇଛି ।
ସେପଟେ ଆଜି ହେଉଛି ଶ୍ରୀମନ୍ଦିରରେ ପ୍ରାୟ 39ଟି ନୀତି । ଆଜି ପବିତ୍ର ଚମ୍ପକ ଦ୍ୱାଦଶୀ। ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଗୁଆଲି ନିତି । ଚମ୍ପକ ଦ୍ଵାଦଶୀ ଥିବାରୁ ମହାପ୍ରଭୁଙ୍କ ଗୁଆଲି ଯାତ୍ରା ନିରାଡାମ୍ବରରେ ସମ୍ପର୍ଣ୍ଣ ହେବ । ପାଲିଙ୍କିରେ ମଦନମୋହନ ଓ ଶ୍ରୀଦେବୀ ନଗର ପରିକ୍ରମା କରିବେ । ନଗର ପରିକ୍ରମାରେ ମହାପ୍ରଭୁ ଓ ମା ଲକ୍ଷ୍ମୀ ପାଲିଙ୍କିରେ ପ୍ରଥମେ ଶ୍ରୀନହରକୁ ଆସି ସେଠି ବନ୍ଦାପନା ନୀତି ପରେ ଜମ୍ବେଶ୍ୱର ମହାଦେବଙ୍କ ମନ୍ଦିରକୁ ଯାଇ ପଞ୍ଚଗ୍ରାସ ନୀତି ରହିଛି ।