ବାହାନଗା ଟ୍ରେନ୍ ଦୁର୍ଘଟଣାରେ ଆହତଙ୍କ ପାଇଁ ରକ୍ତର ଆବଶ୍ୟକତା ଥିବା ବେଳେ, କେନ୍ଦ୍ରାପଡ଼ା ଜିଲ୍ଲା ଆଳି ବ୍ଲକ ଭୁଇଁପୁର ପଞ୍ଚାୟତରେ ସରପଞ୍ଚ ରେଶ୍ମାରାଣୀ ମଲ୍ଲିକଙ୍କ ଉଦ୍ୟମରେ ଏକ ମେଗା ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି l ଏହି ରକ୍ତଦାନ ଶିବିରରେ ସ୍ବେଛାକୃତ ଭାବେ ଯୁବକ, ଯୁବତୀ ଆସି ରକ୍ତଦାନ କରିଛନ୍ତି । ରାଜଧାନୀ ଭୁବନେଶ୍ବରର ରେଡକ୍ରସ ଭବନରେ ବି ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ସ୍ଵେଚ୍ଛାକୃତ ଭାବେ ରାଜଧାନୀ ବାସିନ୍ଦା ଏବଂ ବିଭିନ୍ନ ସଂଗଠନର ସଦସ୍ୟ ଆସି ରକ୍ତଦାନ କରିଛନ୍ତି । ଏହି ଶିବିରରେ 100 ୟୁନିଟରୁ ଅଧିକ ରକ୍ତ ସଂଗ୍ରହ କରାଯାଇଛି ।
ଟ୍ରେନ୍ ଦୁର୍ଘଟଣାରେ ଗୁରୁତରଙ୍କର ରକ୍ତର ଅଭାବକୁ ଦୃଷ୍ଟିରେ ରଖି ସୋର ମେଡିକାଲ ପରିସରରେ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ବିନା କୌଣସି ପ୍ରଚାର ପ୍ରସାରରେ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ଯୁବକ ଯୁବତୀମାନେ ଆସି ଘଣ୍ଟା ଘଣ୍ଟା ଧାଡିରେ ଛିଡା ହୋଇ ରକ୍ତଦାନ କରିଥିଲେ। ଦୁର୍ଘଟଣାସ୍ଥଳକୁ ଯାଇ ଉଦ୍ଧାର କାର୍ଯ୍ୟରେ ଲାଗିଥିଲେ ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘର କର୍ମକର୍ତ୍ତା । ରାତି ତମାମ ଉଦ୍ଧାରକାରୀ ଟିମ୍ ସହ RSS କର୍ମୀ ରେସକ୍ୟୁ ଅପରେସନ ତ୍ବରାନ୍ବିତ କରିବାରେ ସହାୟକ ହୋଇଥିଲେ ।
ସେହିପରି କଟକ ଏସ୍ସିବି ମେଡିକାଲରେ ଆହତଙ୍କ ଚିକିତ୍ସା ସହ ଚାଲିଛି ଲୋକଙ୍କ ସେବା । ଦଳମତ ନିର୍ବିଶେଷରେ ଉର୍ଦ୍ଧ୍ବରେ ରହି ବିଭିନ୍ନ ରାଜନୈତିକ ଦଳ, ସାମାଜିକ ସଂଗଠନ, ଜିଲ୍ଲା ପ୍ରଶାସନ ଓ ସ୍ବେଚ୍ଛାସେବୀ ଲୋକଙ୍କ ସେବା କରୁଛନ୍ତି । ଟ୍ରେନ ଦୁର୍ଘଟଣାରେ ଆହତ ଯାତ୍ରୀ ଚିକିତ୍ସା ପାଇଁ କଟକ ଏସସିବିରେ ଭର୍ତ୍ତି ହେଉଥିବା ବେଳେ, ବିଭିନ୍ନ ରାଜନୈତିକ ଦଳ ଓ ସାମାଜିକ ସଂଗଠନ ଲୋକଙ୍କୁ ଥଣ୍ଡା ପାଣି, ଗ୍ଲୁକୋଜ, ବିସ୍କୁଟ, ବିରିୟାନୀ, ଜୁସ୍ ଆଦି ବାଣ୍ଟିଛନ୍ତି । ଏହାସହ ସହାୟତା କେନ୍ଦ୍ର ଖୋଲି ଆହତଙ୍କ ସମ୍ପର୍କରେ ସୂଚନା ଦେବା ସହ ସେମାନଙ୍କ ସେବା କରାଯାଉଛି ।
ସେପଟେ ଗୁରୁତରଙ୍କ ପାଇଁ ରକ୍ତ ସଂଗ୍ରହ କରିବାକୁ ଏକାଠି ହେଲେ କଳାକାରମାନେ । ରେଡ୍ କ୍ରସ ଭବନରେ ଆୟୋଜିତ ଶିବିରରେ ସାଧାରଣ ଲୋକଙ୍କ ସହ ଅନେକ କଳାକାର ଯାଇ ରକ୍ତଦାନ କରିଛନ୍ତି । ଏହି ଶିବିରରେ ୨୪୦ ୟୁନିଟ ରକ୍ତ ସଂଗ୍ରହ ହୋଇଛି ।
ଅଧିକ ପଢନ୍ତୁ ଓଡ଼ିଶା ଖବର