ଅନୁଗୁଳ ଜିଲ୍ଲା ବାଗେଡିଆର ଶିବରାମ ସାହୁ ଏକ ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି। ଶିମିଳିପାଳ ମୌଜାରେ ତାଙ୍କର ଥିବା 2 ଏକର ଜାଗାକୁ ଚଞ୍ଚକତା କରି ନେଇଯାଇଛନ୍ତି ଅନୁଗୁଳର ପ୍ରତିଷ୍ଠିତ ବ୍ୟବସାୟୀ । ବିକ୍ରି ଦଲିଲରେ ନା ଲାଗିଛି ଶିବରାମ ବାପାଙ୍କ ଦସ୍ତଖତ ନା କୌଣସି ଫଟୋ । ଜାଲ୍ ଦସ୍ତାବିଜ୍ ଜରିଆରେ ଏହି ଜମି ହାତେଇ ନେଇଥିବା ଅଭିଯୋଗ ହୋଇଛି । କେବଳ ଶିବରାମ ନୁହଁନ୍ତି ଅନୁଗୁଳର ଏମିତି ଶହ ଶହ ଚାଷୀଙ୍କ ଏକର ଏକର ଜମି ହାତେଇଛନ୍ତି ବ୍ୟବସାୟୀ ସୁଶିଲ ଅଗ୍ରୱାଲ । ଗରିବ, ଆଦିବାସୀ ଓ ଦଳିତ ଲୋକଙ୍କର ପାଖାପାଖି ପାଖାପାଖି 700 ଏକରରୁ ଅଧିକ ଜମି ନିଜ ନାଁରେ କରାଇ ନେଇଛନ୍ତି ବ୍ୟବସାୟୀ ସୁଶୀଲ ଅଗ୍ରୱାଲ ଓ ତାଙ୍କ ସମ୍ପର୍କୀୟ । ଜମି ହଡପର ଶିକାର ହୋଇଥିବା ଅନେକ ଲୋକ ନ୍ୟାୟାଳୟର ଦ୍ୱାରସ୍ଥ ହୋଇଛନ୍ତି ।ଏନେଇ ଆମର ସାପ୍ତାହିକ କାର୍ଯ୍ୟକ୍ରମ ଉତ୍ତରଦାୟୀରେ ଅଭିଯୋଗ କରିଥିଲେ ସ୍ଥାନୀୟ ବାସିନ୍ଦା ।
ତେବେ ସବୁଠାରୁ ଚିନ୍ତାଜନକ ବିଷୟ ଏହିକି ଯେ, ବ୍ୟବସାୟୀ ସୁଶୀଲଙ୍କୁ ଦୁଇ ଆଇଏଏସ ଅରବିନ୍ଦ ଓ ମନିଶ ଅଗ୍ରୱାଲ ସହାୟତା କରିଥିବା ଅଭିଯୋଗ ଆଣିଛି କଂଗ୍ରେସ । ସୁଶୀଲଙ୍କ ବନ୍ଧୁତା ଆଇଏଏସ ଅରବିନ୍ଦ ଅଗ୍ରୱାଲ ଓ ସୁଶୀଲ ଅଗ୍ରୱାଲଙ୍କ ଅନେକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଯାହାକୁ ନେଇ ସେମାନଙ୍କ ଭିତରେ ରହିଥିବା ସମ୍ପର୍କକୁ ସ୍ପଷ୍ଟ କରୁଛି। ତେବେ ଏହା ପୂର୍ବରୁ ସୁଶୀଲଙ୍କ ବିରୋଧରେ ପିଡ଼ିଏସ ଘୋଟଲା ଠାରୁ ଆରମ୍ଭ କରି ଲେବର କିଟ୍ କାରବାରରେ ଅନିୟମିତତାକୁ ନେଇ ଅଭିଯୋଗ ରହିଛି । ଏସବୁ ଦୁର୍ନୀତିକୁ ନେଇ ଉପଜିଲ୍ଲାପାଳଙ୍କ ଦ୍ବାରସ୍ଥ ହୋଇଛି କଂଗ୍ରେସ ।
ତେବେ ପ୍ରଶ୍ନ ଉଠୁଛି, ସୁଶୀଲ ଅଗ୍ରଓ୍ୱାଲ କଣ ଏତେ ପ୍ରଭାବଶାଳୀ ? ଯାହାଙ୍କ ଇଙ୍ଗିତରେ କାମ କରୁଛନ୍ତି ଆଇଏଏସ ? ସତରେ କଣ ବ୍ୟବସାୟୀ ସୁଶୀଲଙ୍କ କଳା କାରନାମାକୁ ଧଳା କରିଛନ୍ତି ଆଇଏଏସ୍ ?