
କେନ୍ଦୁଝର: ପୋଲିସ ଭୟରେ ଗାଁ ଛାଡ଼ିଲେ ଶତାଧିକ ଗ୍ରାମବାସୀ । ଜନଶୁନ୍ୟ ହେବା ସହ ତାଟି କବାଟ ପଡିଲା ଗାଁରେ । ଏହା କୌଣସି ଫିଲ୍ମର କାହାଣୀ ନୁହେଁ । ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ଆନନ୍ଦପୁର ହାଟଡ଼ିହି ବ୍ଲକର ନନ୍ଦିପଦା ଥାନା ଅନ୍ତର୍ଗତ କରଗୋଳ ଗାଁରେ ।
ବାଲି ମାଫିଆ ପାଇଁ ପୋଲିସ ସାଜିଲା ଗୁଣ୍ଡା । ବାଲି ମାଫିଆ ବାଲି ଚାଲାଣ କରୁଥିବାରୁ ବିରୋଧ କରିଥିଲେ ଗାଁ ଲୋକେ । ହେଲେ ଗ୍ରାମବାସୀଙ୍କ ବିରୋଧ ପାଇଁ ପୋଲିସ ଗ୍ରାମବାସୀଙ୍କୁ ଧମକଚମକ ସହ ମାମଲା ରୁଜୁ କଲା । ଭୟରେ ଗାଁ ଛାଡିଲେ ଶତାଧିକ ଗ୍ରାମବାସୀ । ବୈତରଣୀ ନଦୀର ବାଲି ମାଫିଆଙ୍କ ପାଇଁ ଆମ୍ବୋ ବାଲିଘାଟର ବିବାଦକୁ କେନ୍ଦ୍ର କରି ଜାନୁୟାରୀ ୨୮ ତାରିଖରେ ପୋଲିସ ଓ କରଗୋଳା ଗ୍ରାମବାସୀଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା । ଏହି ଘଟଣା ପରେ ଦୁଇଟି ପୋଲିସ ଗାଡିର କାଚ ଭାଙ୍ଗିଥିଲା ।
ଘଟଣାକୁ କେନ୍ଦ୍ର କରି ପୋଲିସ ଶତାଧିକ ଗ୍ରାମବାସୀଙ୍କ ନାମରେ ମାମଲା ରୁଜୁ କଲା । ଆଉ ଗତ ୩ ତାରିଖ ରାତିରେ ପୋଲିସ ଗାଁରେ ପଶି ପାଞ୍ଚଜଣ ଗ୍ରାମବାସୀଙ୍କୁ ଗିରଫ କରି କୋର୍ଟ ଚାଲାଣ କଲା ।ଫଳରେ ଭୟରେ ଗ୍ରାମବାସୀ ଗାଁ ଛାଡିଛନ୍ତି ।
ବାଲିଘାଟ ଲିଜଧାରୀର ଗୁଣ୍ଡାମାନେ ପୋଲିସ ଗାଡି ଭଙ୍ଗାରୁଜା କରି ଗ୍ରାମବାସୀଙ୍କୁ ଫସାଇଥିବା ଅଭିଯୋଗ ହୋଇଛି । ପୋଲିସର ରାତିଅଧିଆ ଗାଁରେ ପଶି ଚଢ଼ାଉ କରିବା ଓ ଲୋକମାନଙ୍କୁ ଧମକ ଦେବା ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଥିବା ବେଳେ ଶତାଧିକ ଗ୍ରାମବସୀ ଗାଁ ଛାଡ଼ିବା ଘଟଣାରେ ଟ୍ୱିଷ୍ଟ ଭରିଛି ।
ଏବେ ପ୍ରଶ୍ନ ଉଠୁଛି ପୋଲିସ ଓ ପ୍ରଶାସନ କଣ ବାଲି ମାଫିଆଙ୍କ ଇସାରାରେ କାମ କରୁଛନ୍ତି । ସଭ୍ୟ ସମାଜରେ ପୋଲିସର ହିଟଲରୀ ବ୍ୟବହାର କେତେ ଦୁର ଠିକ ? ପୋଲିସ ବାଲି ମାଫିଆ ଇସାରାରେ ଗୁଣ୍ଡା ସାଜିଛି? ପୋଲିସ ରକ୍ଷକ ହୋଇ ଭକ୍ଷକ ସାଜିଛି ? କାହା ସ୍ୱାର୍ଥକୁ ଲକ୍ଷ୍ୟରେ ରଖି ଗ୍ରାମବାସୀଙ୍କ ନାମରେ ମାମଲା ରୁଜୁ କରିଛି ପୋଲିସ ? ଏଭଳି ତମାମ ପ୍ରଶ୍ନ ଏବେ ସାଧାରଣରେ ଚର୍ଚ୍ଚାର ବିଷୟ ପାଲଟିଛି ।
