ଖୋର୍ଦ୍ଧା: ମାଟି ଖୋଳିଲେ ବାହାରୁଛି ପୁଳା ପୁଳା କଉଡି । ଏମିତି ଦୃଶ୍ୟ ଦେଖିବାକୁ ମିଳିଛି ବେଗୁନିଆ- ବୋଲଗଡ ବ୍ଲକ ଖଙ୍ଗୁରିଆ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଯୋଡାପଡ଼ା ଗାଁରେ । ଗାଁର ଗିରିଧାରୀ ସାହୁଙ୍କ ଘର ତିଆର ପାଇଁ ନିଅଁ ଖୋଳା ବେଳେ ବିପୁଳ ପରିମାଣର କଉଡ଼ି ବାହାରିବା ଚର୍ଚ୍ଚାର ବିଷୟ ପାଲଟିଛି । ନିଅଁ ଖୋଳିବା ସମୟରେ ମାତ୍ର ୫ ଫୁଟ ମାଟି ତଳେ ଏକ ଘମା (ମାଠିଆ) ଭିତରେ ସଂଚିତ ଭାବରେ ଥିବା କଉଡ଼ିକୁ ଶ୍ରମିକ ଜଣକ ଦେଖିବାକୁ ପାଇଥିଲେ ।
ସେହି ଜାଗାରୁ କଉଡ଼ି ଅଳ୍ପ ବାହାର କରିବା ପରେ ଦେଖିଲେ ତଳେ ଆହୁରି କଉଡି ଅଛି । ଏମିତି ଖୋଳୁ ଖୋଳୁ ସେ 7 ଝୁଡ଼ି କଉଡ଼ି ବାହାର କରିଥିଲେ । ତେବେ କଉଡ଼ି ବାହାରିବା ନେଇ ଯୋଡ଼ାପଡ଼ା ଗାଁରେ ୟାକୁ ନେଇ ସବୁଠି ଚର୍ଚ୍ଚା ।
ପୁରାତନ କାଳରେ କଉଡ଼ିକୁ ଅର୍ଥ ଆକାରରେ ବ୍ୟବହାର କରିବା ଇତିହାସ ବହିରେ ଉଲ୍ଲେଖ ରହିଛି । ସେହି ସମୟରେ ରାଜ ରାଜୁଡ଼ା ମାନେ ଏହି ସ୍ଥାନରେ ସଂଚିତ ଅର୍ଥ ରଖିଥିବାର ଅନୁମାନ କରାଯାଉଛି ।
ଯୋଡାପଡ଼ା ଗ୍ରାମର ରାମମନ୍ଦିର ନିକଟରେ କାହିଁ କେଉ କାଳରୁ ୨ ଗୋଟି ପାହାଡ ମଧ୍ୟରେ ବିରାଟ ଆମ୍ବ ତୋଟା ମଝିରେ ପୁରାତନ ଦେବସ୍ଥଳୀ ପୀଠ ରହିଛି । ସେଠାରେ ରାଜ ରାଜୁଡା ସମୟରେ ବିଭିନ୍ନ ରାଜ୍ୟର ରାଜାମାନେ ଗୁପ୍ତ ବୈଠକ ଓ ଗୁପ୍ତପୂଜା ପାଠ ନେଇ ଗାଁର ପୁରୁଖା ଲୋକମାନେ ପ୍ରକାଶ କରିଛନ୍ତି ।
ସେହି ସମୟଠୁ ଆଜି ପର୍ଯ୍ୟନ୍ତ ଗ୍ରାମବାସୀମାନେ ମିଳିତ ଭାବେ ପ୍ରତିବର୍ଷ ବୈଶାଖ ମାସର ଶୁକ୍ଳ ପକ୍ଷ ଚତୁଦର୍ଶି ପର୍ବରେ ଗୁପ୍ତ ମେଳା କରନ୍ତି । ଏହି ଦିନ ବିଳମ୍ୱିତ ରାତ୍ରୀରେ ଲୋକମାନେ ନିଷ୍ଠା ସହକାରେ ପୂଜା ପାଠ କରିଥାନ୍ତି । ତେବେ ଏହି ଗାଁରେ ବିଭିନ୍ନ ସମୟରେ ମାଟି ତଳୁ ପୁରାତନ ସାମଗ୍ରୀ ବାହାରିଥିବା ଦେଖାଯାଏ । କଉଡ଼ି ବାହାରିବା ଘଟଣାନେଇ ସେତେବେଳେ ଏଠାରେ ଧନୀଶାଳୀ ରାଜା ବସବାସ କରୁଥିବା ଅନୁମାନ କରାଯାଉଛି ।
ଆହୁରି ପଢନ୍ତୁ ଓଡିଶା ଖବର...