ବାଲେଶ୍ଵର: ଜିଲ୍ଲା ନୀଳଗିରି ଅଂଚଳରେ ଥିବା କୁଳଡିହା ଅଭୟାରଣ୍ୟ ଜଡ଼ାଚୁଆ ଅଂଚଳରେ ଦେଶୀ ବନ୍ଧୁକ ସହ ଶିକାରୀ ଗିରଫ ହୋଇଛନ୍ତି । ଏବେ ଜଙ୍ଗଲ ନିଆଁ ଲାଗିଥିବା ବେଳେ ବନ୍ୟଜନ୍ତୁ ଅଭୟାରଣ୍ୟ ଭିତରୁ ବାହାରି ଗାଁ ମୁହାଁ ହେଉଛନ୍ତି । ଶିକାରୀମାନଙ୍କ ପାଦୁର୍ଭାଵ ଚାଲିଥିବା ବେଳେ ବନ ବିଭାଗ ପାଇଁ ମୁଣ୍ଡ ବିନ୍ଧାର କାରଣ ପାଲଟିଛି।
ଗତକାଲି(ବୁଧବାର) ଅଭୟାରଣ୍ୟର ଜଡ଼ାଛୁଆ ଅଞ୍ଚଳରେ କିଛି ଶିକାରୀ ଶିକାର ପାଇଁ ଯାଇଥିବା ବେଳେ ବିଶେଷ ସୂତ୍ରରୁ ଖବର ପାଇ ନୀଳଗିରି ରେଞ୍ଜର ବିଜୟ କୁମାର ମହାପାତ୍ରଙ୍କ ନିର୍ଦେଶରେ ସ୍ଥାନୀୟ ଫରେଷ୍ଟର ଉମାକାନ୍ତ ଜେନା କିଛି କର୍ମଚାରୀ ନେଇ ଅଚାନକ ଚଢ଼ାଉ କରିଥିଲେ ।
ଦୁଇ ଶିକାରୀ ଖସି ପଳାଇବାରେ ସମର୍ଥ ହୋଇଥିବାବେଳେ ବେତକଟା ଅଂଚଳର ବସନ୍ତ ମଢେଇକୁ ବନ ବିଭାଗ କାବୁ କରିନେଇଥିଲେ । ତାଙ୍କ ପାଖରୁ ୩୫ କିଲୋର ମୃତ ସମ୍ବର ଜବତ ହୋଇଥିବା ବେଳେ ଦେଶୀ ବନ୍ଧୁକ , ବାରୁଦ, ଗୁଳି, ଅନ୍ୟ ସାମଗ୍ରୀ ଜବତ ହୋଇଛି । ଏନେଇ ଏକ ମାମଲା ରୁଜୁ କରାଯାଇଥିବା ବେଳେ ଶିକାରୀକୁ ଗିରଫ ଦର୍ଶାଯାଇ କୋର୍ଟ ଚାଲାଣ କରାଯାଇଛି ।