ସ୍ୱାମୀଙ୍କୁ ରାଗ ଲାଗିଲା, ଆଉ ସେବେଠୁ ସେ ଭାତ ଖାଇବା ଛାଡିଦେଇଛନ୍ତି । ଦିନେ ନୁହେଁ କି ଦୁଇଦିନ, ମାସେ ନୁହେଁ କି ଦୁଇମାସ, ଦୀର୍ଘ 42ବର୍ଷ ଧରି ଭାତ ଛୁଇଁ ନାହାନ୍ତି ରାମ ।
ରସୁଲପୁର ବ୍ଲକ ଲକ୍ଷ୍ମୀନଗର ପଞ୍ଚାୟତର ଭିକିପୁର ଗାଁ । ସେହି ଗାଁର ରାମଚନ୍ଦ୍ର ମାଝୀ ହେଲେ ଜଣେ ଦିନ ମଜୁରିଆ । ଜମିବାଡି ନାହିଁ । ପରଘରେ ମୂଲମଜୁରୀ କରି ପରିବାର ପ୍ରତିପୋଷଣ କରନ୍ତି । ସେଦିନ କାମରୁ ଫେରି ରାମ ପତ୍ନୀଙ୍କୁ ଭାତ ଖାଇବାକୁ ମାଗିଥିଲେ । ହେଲେ ସ୍ତ୍ରୀଙ୍କୁ ଜର ହୋଇଥିବାରୁ ସେ ଭାତ ରାନ୍ଧିପାରି ନଥିଲେ । ସ୍ବାମୀ କିନ୍ତୁ ବୁଝିବାକୁ ନାରାଜ । ସାମାନ୍ୟ ଭାତ ଗଣ୍ଡେ ଯଦି ଖାଇବାକୁ ଦେଇପାରିଲନି, ତେବେ ଭାତ କାହିଁକି ଖାଇବି ବୋଲି ଅଡିବସିଥିଲେ ରାମ । ଆଉ ସେହିଦିନଠୁ ଭାତ ଖାଇବା ଛାଡି ଦେଇଥିଲେ । ଉଭୟଙ୍କ ସମ୍ପର୍କ ଭଲ ରହିଛି । ହେଲେ ଆଜି ପର୍ଯ୍ୟନ୍ତ ସେ ଚୁଡା, ମୁଢି, ଚା ଜଳଖିଆ ଖାଇ ଜୀବନ ନିର୍ବାହ କରିଆସୁଛନ୍ତି ।
ରାମଙ୍କୁ ଏବେ 76 ହେଲାଣି । ପରିବାର ପ୍ରତିପୋଷଣ କରିବାରେ ହେଳା କରୁନାହାଁନ୍ତି । 22 ବର୍ଷରେ ସେ ବିବାହକରିଥିଲେ। ଏବେ ପିଲାମାନେ ବି ତାଙ୍କର ବଡ ହୋଇଗଲେଣି । ସ୍ତ୍ରୀ ହୁଅନ୍ତୁ ବା ପିଲାମାନେ, ବନ୍ଧୁବାନ୍ଧବ କି ସାହିପଡିଶା, ଯେତେ ଚେଷ୍ଟା କଲେବି କେହିବି ରାମଙ୍କ ରାଗକୁ ଶାନ୍ତ କରିପାରିନାହାନ୍ତି ।
ଆମ ଓଡିଆ ଘରେ ଭାତ ହେଉଛି ପ୍ରଧାନ ଖାଦ୍ୟ । କୁହାଯାଏ ଭାତ ବିନା କିଏ ବା ବଞ୍ଚିପାରିବ । କିନ୍ତୁ ଏଠାରେ ଦୀର୍ଘ 42 ବର୍ଷ ଯାଏ ବି କେହି ତାଙ୍କୁ ଭାତ ଖୁଆଇ ପାରିନାହାନ୍ତି । ରାମ ତାଙ୍କ ଜିଦରେ ଅଟଳ ରହିଛନ୍ତି । ହେଲେ ଏହି ଘଟଣାଟି ଏବେ ପଦାକୁ ଆସିବା ପରେ ଚାରିଆଡେ ୟାକୁ ନେଇ ଚର୍ଚ୍ଚା ।
ଦେଖାଯାଉ ରାମଚନ୍ଦ୍ର ଜିଦ୍ କେବେ ଭାଙ୍ଗୁଛି । କେବେ ତାଙ୍କ ରାଗ ଶାନ୍ତ ହେଉଛି । କେବେ ରାମଚନ୍ଦ୍ର ଭାତ ଖାଉଛନ୍ତି ।
ଓଡ଼ିଶା ଖବର ଆହୁରି ପଢ଼ନ୍ତୁ ।