ଯିଏ ଅଗ୍ନିକୁ ସାତ ଜନ୍ମର ସାକ୍ଷୀ ରାଖୀ ବିବାହ କରିଥିଲା। ହସ ଖୁସିର ସଂସାର କରିବା ପାଇଁ ଶପଥ କରିଥିଲା। ହେଲେ ସିଏ ଟଙ୍କା ପାଇଁ ସ୍ତ୍ରୀର ସଉଦା କରିଦେଲା। ଲକ୍ଷେ ଟଙ୍କାରେ ସ୍ତ୍ରୀକୁ ରାଜସ୍ଥାନରେ ଅନ୍ୟ ଜଣକ ହାତରେ ଟେକି ଦେଲା ସ୍ବାମୀ। ଘଟଣାରେ ପୋଲିସ ଅଭିଯୁକ୍ତ ସ୍ବାମୀ ରାଜେଶ ରଣାକୁ ଗିରଫ କରି କୋର୍ଟ ଚାଲାଣ କରିଛି। ଅନ୍ୟପଟେ ରାଜେଶଙ୍କ ସ୍ତ୍ରୀକୁ ସେଠାରୁ ଉଦ୍ଧାର କରି ବାପ ଘର ଲୋକଙ୍କୁ ହସ୍ତାନ୍ତର କରାଯାଇଛି।
ପରିବାର ଲୋକଙ୍କ ସୂଚନା ଅନୁସାରେ, ୬ ମାସ ଆଗରୁ ସୁଲେକେଲାର ରାଜେଶ ରଣା ଟିକ୍ରାପଡାର ଜଣେ ଯୁବତୀଙ୍କ ସହ ପ୍ରେମ ସମ୍ପର୍କ ଗଢ଼ି ଉଠେ। ପ୍ରେମ ସମ୍ପର୍କକୁ ପରିବାର ଲୋକେ ଗ୍ରହଣ ବି କଲେ। ପରେ ଜୁଲାଇ ମାସରେ ପରିବାର ଲୋକେ ଉଭୟଙ୍କ ବିବାହ କରିଥିଲେ। ହେଲେ ଅଗଷ୍ଟ ମାସରେ ବାହାର ରାଜ୍ୟକୁ ଇଟା ଗଢ଼ି ଯିବା ବାହାନାରେ ସ୍ତ୍ରୀକୁ ରାଜସ୍ଥାନର ମନଝୋଲାକୁ ନେଇଥିଲା ସ୍ବାମୀ। ସେଠାରେ ସ୍ତ୍ରୀକୁ ଲକ୍ଷେ ଟଙ୍କାରେ ବିକ୍ରି କରିଥିଲା ରାଜେଶ। ହେଲେ ଝିଅକୁ ବାପ ଘର ଲୋକେ ଯୋଗାଯୋଗ କରି ନ ପାରିବାରୁ ସନ୍ଦେହଜାତ ହୋଇଥିଲା ଏବଂ ଏନେଇ ଗତ ୨୧ ତାରିଖରେ ବେଲପଡା ଥାନାରେ ଲିଖିତ ଭାବରେ ଜଣାଇଥିଲେ ଝିଅର ବାପା।
ଏସପିଙ୍କ ନିର୍ଦେଶକ୍ରମେ ବେଲପଡା ପୋଲିସ ରାଜସ୍ଥାନକୁ ଯାଇ ଅଭିଯୁକ୍ତ ରାଜେଶର ସ୍ତ୍ରୀକୁ ବହୁ କଷ୍ଟରେ ଉଦ୍ଧାର କରିଛି। ଏପଟେ ରାଜେଶର ପରିବାର ଲୋକେ ମଧ୍ୟ ଘଟଣାକୁ ସତ୍ୟ ବୋଲି ମାନିଛନ୍ତି। ତେବେ ଘଟଣା ସମ୍ପର୍କରେ ପୋଲିସର ପ୍ରତିକ୍ରିୟା ମିଳି ପାରି ନାହିଁ।