ଅର୍ଗସ ବ୍ୟୁରୋ: ବାଲେଶ୍ୱର ଜିଲ୍ଲା ବାଲିଆପାଳ ବ୍ଲକ ପ୍ରତାପପୁର ଗ୍ରାମର ଜଗନ୍ନାଥ ସାମନ୍ତରାୟ, ପିଲାଟି ବେଳୁ ଭଲ ବ୍ୟବସାୟୀ ହେବାର ସ୍ବପ୍ନ ଦେଖୁଥିଲେ। ଚାକିରି କରି ପରାଧୀନ ହେବା ଅପେକ୍ଷା ବ୍ୟବସାୟ କରି ସ୍ବାଧୀନ ଭାବରେ ବଞ୍ଚିବା ତାଙ୍କର ଥିଲା ଲକ୍ଷ୍ୟ। ମାତ୍ର ଦଶମ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢ଼ିବା ପରେ ବସ୍ତାନିରେ ଡୋରି ବାନ୍ଧି ବ୍ୟବସାୟ କରିବା ପାଇଁ ଅଣ୍ଟା ଭିଡ଼ିଲେ। ତେବେ କେଉଁ ବ୍ୟବସାୟ କରିବା କଥା ଭାବୁ ଭାବୁ ଗ୍ରାମର ଲୋକେ କୁକୁଡ଼ା ପାଳୁଥିବା ଦେଖି କୁକୁଡ଼ା ବ୍ୟବସାୟ କରିବା ପାଇଁ ମନସ୍ଥ କଲେ। ଘରୁ ମାତ୍ର ୫ ହଜାର ଟଙ୍କା ନେଇ ଏହି କୁକୁଡ଼ା ଚାଷ ଆରମ୍ଭ କଲେ। ସେହି କୁକୁଡ଼ା ଏବେ ତାଙ୍କୁ ଭଲ ବ୍ୟବସାୟୀରେ ପରିଣତ କରିପାରିଛି। ସେ ମାତ୍ର ୫ ବର୍ଷ ଭିତରେ ୫ ହଜାର ଟଙ୍କାରୁ ଆରମ୍ଭ କରିଥିବା ବ୍ୟବସାୟ ଏବେ ୫୦ ଲକ୍ଷ ଟଙ୍କାରେ ପହଞ୍ଚାଇ ପାରିଛନ୍ତି। ଯାହା ପାଇଁ ସେ ମାସକୁ ୫୦ ରୁ ୬୦ ହଜାର ଟଙ୍କା ରୋଜଗାର କରିବା ସହିତ ତାଙ୍କ ପାଖରେ ୫ରୁ ୬ ଜଣକୁ ନିଯୁକ୍ତି ଦେଇଛନ୍ତି । ସେ ଜଗନ୍ନାଥ ଫାର୍ମ ନାମରେ ଏକ କୁକୁଡ଼ା ଫାର୍ମ କରି ୫ ପ୍ରକାରର ଦେଶୀ କୁକୁଡ଼ା ସହିତ ୨୦ ରୁ ଅଧିକ ପ୍ରକାର ବିଦେଶୀ କୁକୁଡ଼ା ଓ ବତକ ରଖିଛନ୍ତି ବୋଲି କହିଛନ୍ତି।
ଜଗନ୍ନାଥଙ୍କ ଫାର୍ମରେ ୫ ପ୍ରକାରର ଦେଶୀ କୁକୁଡ଼ା ସହିତ ବିଦେଶୀ କୁକୁଡ଼ା ସହ ବିଭିନ୍ନ ପ୍ରକାରର ବତକ ରଖି ବ୍ୟବସାୟ କରୁଛନ୍ତି। ବିଶାଖାପାଟଣା ଏବଂ କଲିକତାର ଦୁଇଟି କମ୍ପାନୀ ସହିତ ସମ୍ପର୍କ ସ୍ଥାପନ କରି ଅଣ୍ଡା ଫୁଟାଇ ଛୁଆ ଗୁଡ଼ିକୁ ନିଜ ଫାର୍ମରେ ରଖି ବ୍ୟବସାୟ କରୁଛନ୍ତି। ଜଗନ୍ନାଥ ଓଡ଼ିଶା ସମେତ ଦେଶର ବିଭିନ୍ନ ସ୍ଥାନରେ ତାଙ୍କ ଫାର୍ମରୁ ଉତ୍ପାଦିତ କୁକୁଡ଼ାକୁ ବିକ୍ରି କରିଥାନ୍ତି। ତା ସହିତ ଅନଲାଇନ ମାଧ୍ୟମରେ ମଧ୍ୟ କାରବାର କରିଥାନ୍ତି। ଏହା ବାଦ ଇଣ୍ଡିଆ ମାର୍ଟ, ଟ୍ରେନ ଇଣ୍ଡିଆ, ଦୋକାନ ଅପ୍ ଜରିଆରେ ଜଗନ୍ନାଥ ଫାର୍ମ ଆଇଡି ଖୋଲି ବ୍ୟବସାୟ କରୁଛନ୍ତି ବୋଲି କହିଛନ୍ତି ।
ଇଚ୍ଛା ଥିଲେ ଉପାୟ ଆପେ ଆପେ ଆସିଥାଏ। ଯାହା ସଫଳତାର ରାସ୍ତା ଦେଖାଏ। ଯାହା ଜଗନ୍ନାଥ କରି ଦେଖାଇଛନ୍ତି। ଚାକିରି ପଛରେ ନ ଗୋଡାଇ ନିଜ ଉଦ୍ୟମରେ କିଛି କରିବା ପାଇଁ ଚେଷ୍ଟା କରି ସ୍ବାଧୀନ ଭାବରେ ବଞ୍ଚିବାକୁ ଯୁବପିଢି ମାନଙ୍କୁ ପରାମର୍ଶ ଦେଇଛନ୍ତି।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର