ଭୁବନେଶ୍ୱର: ରାଜଧାନୀରେ ବେଧଡକ ଚାଲିଛି ହୁକା ବାର । ଏହି ହୁକା ବାର ଗୁଡିକ ବହୁ ମାତ୍ରାରେ ଯୁବପୀଢିଙ୍କୁ ଆକର୍ଷିତ କରୁଛି । ବିଭିନ୍ନ ସ୍ବାଦର ହୁକାକୁ ଯୁବପୀଢିମାନେ ଟାଣୁଥିବାର ଦେଖିବାକୁ ମିଳୁଛି । ଚକୋଲେଟ, ଭାନିଲା, ମ୍ୟାଙ୍ଗୋ ଆଦି ସ୍ୱାଦ ଯୁକ୍ତ ଶହେରୁ ଅଧିକ ହୁକାର ଚାହିଦା ରହିଛି ଯୁବପୀଢିଙ୍କ ମଧ୍ୟରେ ।
ବିଷେଶ କରି ଏହି ସ୍ୱାଦର ହୁକା ଟାଣିଲେ କେୌଣସି ବାସ୍ନା ହୋଇନଥାଏ । ରାଜଧାନୀର ସହୀଦନଗର, ଇନଫୋସିଟି, ଚନ୍ଦ୍ରଶେଖରପୁର, ଖଣ୍ଡଗିରି ଅଞ୍ଚଳର ବହୁ ନାମୀଦାମୀ ଶିକ୍ଷାନୁଷ୍ଠାନ ଥିବା ବେଳେ ଏହାର ଛାତ୍ରଛାତ୍ରୀମାନେ ହୁକା ବାରର ଗ୍ରାହକ ସାଜିଛନ୍ତି ।
ହୁକା ବାର ଗୁଡିକରେ ଶହେ ଟଙ୍କାରୁ ଆରମ୍ଭ କରି 5ହଜାର ଟଙ୍କା ପର୍ଯ୍ୟନ୍ତ ବିକ୍ରି କରାଯାଉଛି । ହୁକାରେ ବିଭିନ୍ନ ପ୍ରକାର ନିକୋଟିନ ଯୁକ୍ତ ପଦାର୍ଥ ମିଶୁଥିବାର ଖବର ସାମ୍ନାକୁ ଆସିଛି । ଅବକାରୀ ବିଭାଗ କାଁ ଭାଁ ହୁକା ବାରରେ ଚଢାଉ କରି ଜବତ କରିଥିବା ବେଳେ ଆହୁରି ଅନେକ ହୁକା ବାରରେ ବେଆଇନ କାର୍ଯ୍ୟ ଚାଲୁଥିବାର ଅଭିଯୋଗ ହୋଇଛି । ରାଜଧାନୀରେ ଅବକାରୀ ବିଭାଗର ନିୟନ୍ତ୍ରଣ ରହୁ ନ ଥିବା ସାଧାରଣରେ ଚର୍ଚ୍ଚା ହେଉଛି ।
