ଭଦ୍ରକ: ରାଜ୍ୟରେ ଦିନକୁ ଦିନ ବେଆଇନ ଗୋରୁ ଚାଲାଣ ବଢିବାକୁ ଲାଗିଛି । ଗୋରୁ ବ୍ୟବସାୟୀ ଓ ପୋଲିସ ପ୍ରଶାସନ ମଧ୍ୟରେ ମଧୁଚନ୍ଦ୍ରିକା ପାଇଁ ପ୍ରତେକ ଦିନ ଶହ ଶହ ଗୋରୁ ବୋଝେଇ ଗାଡି ବେଆଇନ ଭାବେ ଭଦ୍ରକ, ବାଲେଶ୍ୱରରୁ କଲିକତାକୁ ଚାଲାଣ ହେଉଛି ।
ଆଜି ସ୍ଥାନୀୟ ଲୋକ ଏକ ଗୋରୁ ବୋଝେଇ ପିକଅପ ଭ୍ୟାନକୁ ଧରି ବାସୁଦେବପୁର ଥାନାରେ ଜିମା ଦେଇଛନ୍ତି । ଆଜି ଭୋର ସମୟରେ ଅତି ବିପଦ ଜନକ ଅବସ୍ଥାରେ ବେଆଇନ ଭାବେ ଏକ ପିକଅପ ଭ୍ୟାନରେ ଗୋରୁ ଚାଲାଣ ହେଉଥିବା ସ୍ଥାନୀୟ ଲୋକ ଖବର ପାଇଥିଲେ । ଖବର ପାଇ ତୁରନ୍ତ ବେତଡ଼ାରୁ କିଛି ଦୂରରେ ପିକଅପ ଭ୍ୟାନକୁ ଅଟକାଇଥିଲେ। ଗାଡି ଭିତରେ 17ଟି ଗୋରୁ ଥିବାବେଳେ 2ଟି ଗୋରୁ ମୃତ ଅବସ୍ଥାରେ ଓ 15ଟି ଗୋରୁ ଗୁରୁତର ଅବସ୍ଥାରେ ଗାଡି ଭିତରୁ କଢ଼ା ଯାଇଛି । ଗୁରୁତର ଗୋରୁଙ୍କୁ ସ୍ଥାନୀୟ ପଶୁ ଡାକ୍ତରଙ୍କୁ ଆଣି ଚିକିତ୍ସା କରାଯାଇଛି।
ତେବେ ଏହି ଗୋରୁ ଗୁଡିକୁ ପିପିଲି ଅଞ୍ଚଳରୁ କଲିକତା ଯାଉଥିବା ଜଣାପଡିଛି। ତେବେ ସବୁଠୁ ଗୁରୁତ୍ୱପୂର୍ଣ କଥା ହେଲା ଗାଡିଟିର ଆଗରେ କମରସିଆଲ ନମ୍ବର ଥିବାବେଳେ ପଛ ପାଖରେ ପ୍ରାଇଭେଟ ନମ୍ବର ଲେଖା ହୋଇଛି।