ସୂଚନାନୁଯାୟୀ, 3ମାସ ପୁର୍ବରୁ ତିହିଡି ବ୍ଲକ ଅନ୍ତର୍ଗତ ବୋଡ଼କ ପଞ୍ଚାୟତର ଭଞ୍ଜନଗର ସ୍କୁଲ ଠାରୁ ଖଳାଗଡିଆ ପର୍ଯ୍ୟନ୍ତ ରାସ୍ତା ନିର୍ମାଣ ନେଇ ମନରେଗା ଯୋଜନାରେ 5ଲକ୍ଷ ଟଙ୍କାର ପ୍ରକଳ୍ପ ଅନୁମୋଦନ କରାଯାଇଥିଲା । ତେବେ କାର୍ଯ୍ୟାଦେଶର 3ମାସ ପରେ ବି ଏହି ରାସ୍ତା ନିର୍ମାଣ କାମ ଆରମ୍ଭ ହୋଇନଥିବା କାରଣରୁ ଗ୍ରାମବାସୀମାନେ ଏନେଇ ଜିଲ୍ଲାପାଳଙ୍କୁ ଭେଟିଥିଲେ । ଜିଲ୍ଲାପାଳଙ୍କ ପାଖରେ ଅଭିଯୋଗ ପରେ ବର୍ତ୍ତମାନ ଠିକାଦାରଙ୍କ ପକ୍ଷରୁ ତରବରିଆ ଭାବେ ବିନା ସୂଚନା ଫଳକରେ ଏହି ରାସ୍ତାକାମ ଚାଲିଥିବା ଦେଖିବାକୁ ମିଳିଛି । ଯାହାକୁ ନେଇ ସ୍ଥାନୀୟ ଗ୍ରାମବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି ।
ମନରେଗା ଯୋଜନାରେ ଚାଲିଥିବା ଏହି ରାସ୍ତା କାମରେ ସ୍ଥାନୀୟ ଜବକାର୍ଡଧାରୀଙ୍କୁ ଅଣଦେଖା କରାଯାଇଛି । ସେହିପରି ନିର୍ମାଣଧିନ ଏହି ରାସ୍ତାକାମ ନିମ୍ନମାନର ହୋଇଥିବା ଅଭିଯୋଗ ଆଣି ସ୍ଥାନୀୟ ଗ୍ରାମବାସୀ ଏହାର ସ୍ଥାୟିତ୍ବ ଉପରେ ପ୍ରଶ୍ନ ଉଠାଇଛନ୍ତି ।
ବେଆଇନ ଭାବେ ଚାଲିଥିବା ଏହି ରାସ୍ତାକାମ ନେଇ ଅର୍ଗସ ଟିମ୍ ଭଦ୍ରକ ଜିଲ୍ଲାପାଳଙ୍କୁ ଭେଟିଥିଲା। ଏନେଇ ଜଣେ ସ୍ଥାନୀୟ ଆରଡିଙ୍କୁ ତଦନ୍ତ ନିର୍ଦ୍ଦେଶ ଦିଆଇଥିବା ସେ କହିଛନ୍ତି । ତେବେ ତଦନ୍ତ ରିପୋର୍ଟ ଆସିବା ପରେ ଆଗାମୀ ଦିନରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଏନେଇ କଣ ପଦକ୍ଷେପ ନିଆଯାଉଛି ତାହା ଦେଖିବାକୁ ବାକି ରହିଲା ।