ଏହି ପ୍ରକ୍ରିୟା ପାଇଁ ୬ ମାସ ସମୟ ଲାଗିବ ବୋଲି କହିଛନ୍ତି ପଞ୍ଚାୟତିରାଜ ମନ୍ତ୍ରୀ । ସେପଟେ ନୂଆ ସରକାରରେ ୧୦୦ ଦିନ ଭିତରେ ତିଆରି ହୋଇଛି ୯୯ ହଜାର ୯୮୭ ଆବାସ । ନଭେମ୍ବର ୨୦୨୪ ସୁଦ୍ଧା ଗ୍ରାମାଞ୍ଚଳରେ ୪ ଲକ୍ଷ ୭୬ ଲକ୍ଷ ପ୍ରଧାନମନ୍ତ୍ରୀ ଆବାସ ଘର ନିର୍ମାଣ ସାରିବାକୁ ଜିଲ୍ଲାପାଳ ମାନଙ୍କୁ ଟାର୍ଗେଟ ଦେଇଛନ୍ତି ରାଜ୍ୟ ସରକାର । ବିଗତ ସରକାରରେ ଅନେକ ଯୋଗ୍ୟ ହିତାଧିକାରୀ ଘର ପାଇବାରୁ ବଞ୍ଚିତ ହୋଇଥିଲେ । ୨୦୧୪ରେ ଆବାସ ଥିଲା ବିଜେଡିର ଗ୍ୟାରେଣ୍ଟି । ୧୪ରୁ ୧୯, ୧୯ରୁ ୨୪- ଦୋଷ ଲଦି ଦାୟିତ୍ଵ ସାରି ଦଲେ ବିଜେଡି ସରକାର । ଠିକ୍ ତାଲିକା ଦେଲେ ନାହିଁ ବୋଲି ଲକ୍ଷ ଲକ୍ଷ ଗରିବ ଘର ପାଇବାରୁ ବଞ୍ଚିତ ହୋଇଥିଲେ । ନଚେତ୍ ଓଡ଼ିଶାକୁ ଅଧିକ ଘର ଆସିଥାନ୍ତା । କିନ୍ତୁ ତତ୍କାଳୀନ ରାଜ୍ୟ ସରକାର ସେହି ତାଲିକା ପ୍ରସ୍ତୁତ କଲେ ନାହିଁ, ଲୁଚେଇ ଦେଲେ ।
ଯେଉଁଥିପାଇଁ ୨୦୧୬ ରୁ ୨୦୨୪ ମଧ୍ୟରେ ୬ ଲକ୍ଷ ୫୬ ହଜାର ୯୪୫ ପକ୍କା ଘର ଫେରିଯାଇଥିଲା। ବିଧାନସଭା ତଥ୍ୟ ଏହାର ପୋଲ୍ ଖୋଲିଥିଲା । ତେଲିଆ ମୁଣ୍ଡରେ ତେଲ ନ୍ୟାୟରେ ଜଣେ ଲୋକ ୩ଟି ପର୍ଯ୍ୟନ୍ତ ଘର ପାଉଥିଲେ । ବଞ୍ଚିତ ଗରିବ ଯୋଗ୍ୟ ହିତାଧିକାରୀ ମାନଙ୍କୁ ଚିହ୍ନଟ କରି ୬ ମାସ ଭିତରେ ସରକାର ଘର କରିବା ପାଇଁ କାର୍ଯ୍ୟାଦେଶ ଦେବେ । ଆଗାମୀ ଦିନରେ ୨୦ରୁ ୨୨ ଲକ୍ଷ ପର୍ଯ୍ୟନ୍ତ ହିତାଧିକାରୀଙ୍କୁ ଚିହ୍ନଟ କରାଯାଇ ଘର ଦିଆଯିବ । ଆଉ ଯଦି ହିତାଧିକାରୀ ଚିହ୍ନଟରେ ବ୍ଲକ ଓ ପଞ୍ଚାୟତ ଅଧିକାରୀ ମାନେ କୌଣସି ତ୍ରୁଟି କରିବେ । ତଦନ୍ତ କରି ସେମାନଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠନ ନିଆଯିବ ବୋଲି କହିଛନ୍ତି ମନ୍ତ୍ରୀ । ଭୂମିହୀନ ମାନଙ୍କୁ ମଧ୍ୟ ଚିହ୍ନଟ କରିବା ପାଇଁ କ୍ଲଷ୍ଟର କରୁଛନ୍ତି ସରକାର । ଯାହା ପାଖରେ ଘର କରିବା ପାଇଁ 4 ଡିସିମିଲ ଜାଗା ନାହିଁ, ସେମାନଙ୍କୁ ଚିହ୍ନଟ କରି ସରକାରୀ ଜାଗାରେ ଥଇଥାନ କରାଯିବ । ସେଠାରେ ବିକଶିତ ଗାଁ ବିକଶିତ ଓଡ଼ିଶା ଯୋଜନାରେ ବିଜୁଳି ସଂଯୋଗ, ପାନୀୟ ଜଳ, ଖେଳ ପଡ଼ିଆ ଭଳି ସୁବିଧା ମିଳିବ । ସହର ଭଳି 1 bhk, 2 bhk ଷ୍ଟାଣ୍ଡଡର ଘର ପ୍ରଧାନମନ୍ତ୍ରୀ ଆବାସ ଯୋଜନା ହିତାଧିକାରୀଙ୍କୁ ବି ମିଳିବ ବୋଲି କହିଛନ୍ତି ମନ୍ତ୍ରୀ ।
୨୦୧୪ ରୁ ବର୍ତ୍ତମାନ ସୁଦ୍ଧା ୩୬ ଲକ୍ଷ ୫୭ ହଜାର ୮୪୭ ପକ୍କା ଘର ନିର୍ମାଣ ଶେଷ ହୋଇଥିବା ବେଳେ ୫ ଲକ୍ଷ ୨୭ ହଜାର ୬୦୪ ଗୃହ ନିର୍ମାଣଧୀନ ରହିଛି । ଏହା ବାଦ ମଞ୍ଜୁର ହୋଇଥିବା ୩୨ ହଜାର ୯୧୩ ପକ୍କା ଘର କାର୍ଯ୍ୟ ଆରମ୍ଭ ହୋଇ ପାରି ନାହିଁ । ବର୍ତ୍ତମାନ ସୁଦ୍ଧା ଓଡିଶାକୁ ୪୨ ଲକ୍ଷ ୧୮ ହଜାର ୩୬୪ ପକ୍କା ଘର ଯୋଗାଇ ଦେଇଛନ୍ତି କେନ୍ଦ୍ର ସରକାର । ଏବେ ବି ୧ ଲକ୍ଷ ୨୬ ହଜାର ୭୧୯ ପରିବାର ଆବାସ ପାଇଁ ଆବେଦନ କରି ଅପେକ୍ଷାରେ ଅଛନ୍ତି ।