ଗଜପତି: ନଦୀ ପାର ହେବା ପାଇଁ ପୋଲ ନାହିଁ । ତାର ସାଜିଛି ଗମନାଗମନର ମାଧ୍ୟମ । ଏଦୃଶ୍ୟ ହେଉଛି ଗଜପତି ମୋହନା ନିକଟ ଗଦାପୁର ନଦୀର । ଗ୍ରାମାଞ୍ଚଳର ବିକାଶ ପାଇଁ ସରକାର କେତେ କଣ ଯୋଜନା କରିଛନ୍ତି । ଯାତାୟତର ସୁବିଧା ପାଇଁ ରାସ୍ତା ଓ ପୋଲ ମଧ୍ୟ ନିର୍ମାଣ ହେଉଛି । ହେଲେ ବାସ୍ତବ ଚିତ୍ର କିଛି ଅଲଗା । ଲୋକେ ବିପଦ ସଙ୍କୁଳ ଅବସ୍ଥାରେ ପାର ହେଉଛନ୍ତି ନଦୀ ।
ଉପାନ୍ତ ଅଞ୍ଚଳରେ ବିକଳ ଚିତ୍ର । ଭରା ନଦୀରେ ଲୋକେ କରୁଛନ୍ତି ବିପଦପୂର୍ଣ୍ଣ ଯାତ୍ରା । ନା ଅଛି ଡଙ୍ଗା, ନା ଅଛି ପୋଲ, ନା ଗମନାଗମନ ପାଇଁ ଅନ୍ୟ କିଛି ବିକଳ୍ପ । ଜୀବନକୁ ବାଜି ଲଗାଇ ପ୍ରତିଦିନ ନଦୀ ପାର ହେଉଛନ୍ତି ଶତାଧିକ ଗ୍ରାମବାସୀ । ନଦୀ ଆରପାରିରେ ଅଛି ରାଜଖମାଗାଁ । ତେବେ ଭରା ନଦୀ ପାର ହେବା ପାଇଁ ଅନ୍ୟକିଛି ମାଧ୍ୟମ ନଥିବାରୁ ଲୋକେ ଜୀବନକୁ ବାଜି ଲଗାଇ ପାଣି ମଧ୍ୟରେ ଯାତାୟତ କରିଥାନ୍ତି । ଏହି ତାର ବିପଦପୂର୍ଣ୍ଣ ଯାତ୍ରା ପାଇଁ ସାହା ଭରସା ।
ପ୍ରତିବର୍ଷ ବର୍ଷା ଆସିଲେ ରାଜଖମା ଗ୍ରାମବାସୀଙ୍କ ନିଦ ହଜାଇଦିଏ ଗଦାପୁର ନଦୀ । ବର୍ଷବର୍ଷ ଧରି ଏଠାରେ ପୋଲଟିଏ ନିର୍ମାଣ ପାଇଁ ବାରମ୍ୱାର ଦାବି ହୋଇଥିଲେ ମଧ୍ୟ ଏମାନଙ୍କ ଗୁହାରୀ ଶୁଣୁଛି କିଏ ? ତେବେ ଖୁବ ଶୀଘ୍ର ଏହି ସମସ୍ୟାର ସମାଧାନ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ମୋହନା ବିଧାୟକ ।
ରାଜ୍ୟର ବିଭିନ୍ନ ସ୍ଥାନରେ ନଦୀରେ ବୁଡି ଅଦିନରେ ଅନେକଙ୍କ ଜୀବନ ଦୀପ ଲିଭି ଯାଉଥିବା ବେଳେ । ଏହି ନଦୀ ପାର ହେବା ପାଇଁ ଲୋକଙ୍କ ମାଧ୍ୟମ ନଥିବାରୁ ଲୋକେ ବାଧ୍ୟ ହୋଇ ଏଭଳି ବିପଦ ସଙ୍କୁଳ ଅବସ୍ଥାରେ ନଦୀ ପାର ହେଉଛନ୍ତି । ତେବେ ଦେଖିବାକୁ ବାକିରହିଲା କେବେ ଏହା ଉପରେ ପୋଲ ନିର୍ମାଣ ହେଉଛି ।
