ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ସାଆନ୍ତରାପୁର-ଉତ୍ତରବାହା ଗାଁରେ ମହିଳାମାନେ ଦେଶୀ ଚୋରା ମଦ ସହ ମଦ ବେପାରୀକୁ ଧରି ପୋଲିସକୁ ଜିମା ଦେଇଛନ୍ତି । ରଞ୍ଜିତ ମହାନ୍ତି ନାମକ ଜଣେ ବ୍ୟକ୍ତି ଦେଶୀ ମଦ ଭାଟି କରି ଚୋରାରେ ମଦ ବିକ୍ରି କରିବା ସହ ବିଲରେ ମଦ ରାନ୍ଧୁଛି । ମଦ ତିଆରି କରିବା ପରେ ଦୈନିକ ଶହ ଶହ ଲିଟର ଦେଶୀ ମଦ ବସ୍ତାରେ ପେକିଂ ହୋଇ ବାଇକ ଓ କାରରେ ବାହାରକୁ ଚାଲାଣ କରାଯାଉଛି ।
ଏହି ପ୍ରସଙ୍ଗରେ ପୂର୍ବରୁ ମହିଳା ମଣ୍ଡଳ ସମେତ ଗ୍ରାମବାସୀ ବାରମ୍ବାର ଥାନାରେ ଅଭିଯୋଗ କରିଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିଲା । ଗତକାଲି ରାତିରେ ଜଣେ ଯୁବକ ମଦ ଆଣିବାକୁ ରଞ୍ଜିତଙ୍କ ଘରେ ପହଞ୍ଚି ମଦ ବସ୍ତା ଗାଡିରେ ଲୋଡ କରୁଥିଲେ । ଏହି ସମୟରେ ମହିଳାମାନେ ମିଳିତ ଭାବେ ଚଢାଉ କରି ମଦ ବୋଝେଇ କାରକୁ ଜବତ କରିବା ସହ ୩ ଜଣ ଯୁବକଙ୍କୁ କାବୁ କରିଥିଲେ । ଗାଡି ଡିକିରେ ପ୍ରାୟ ୪୦ ଲିଟର ମଦ ବସ୍ତାରେ ଭର୍ତ୍ତି ହୋଇଥିବା ଦେଖିବାକୁ ପାଇଥିଲେ । ପରେ ପଚରା ଉଚୁରା କରିବା ପରେ ସେମାନଙ୍କ ଘର ମୟୁରଭଞ୍ଜ ଜିଲ୍ଲା ଚିତ୍ରଡାର ବୋଲି ଜଣାଯାଇଛି ।