
ଅର୍ଗସ ବ୍ୟୁରୋ : ରାଜଧାନୀ ଭୁବନେଶ୍ଵରରେ ବର୍ଦ୍ଧିତ କରୋନା ସଂକ୍ରମଣକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ବିଜେପି ସଭାପତି ବାବୁ ସିଂ। ସେ କହିଛନ୍ତି ଯେ, ଭୁବନେଶ୍ୱରରେ କରୋନା ସ୍ଥିତି ଅତି ଗମ୍ଭୀର। କରୋନା ନିୟନ୍ତ୍ରଣ ବାହାରେ। ଦେଶ ଏହା ପାଇଁ ଚିନ୍ତିତ। ଦିଲ୍ଲୀରେ କରୋନା ସ୍ଥିତି କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କ ପାଇଁ ନିୟନ୍ତ୍ରଣରେ ଆସିଛି। ଦିଲ୍ଲୀ ଏବେ ଦେଶ ପାଇଁ ମଡେଲ। ହେଲେ ଭୁବନେଶ୍ୱରରେ ଦିନକୁ ଦିନ ସଂକ୍ରମଣ ବଢୁଛି, ଜନବହୁଳ ସହରରେ ପ୍ରତିଦିନ 200ରୁ 300 ଆକ୍ରାନ୍ତ ହେଉଛନ୍ତି। ଯାହା ଚିନ୍ତାର ବିଷୟ।
ସେ ପୁଣି କହିଛନ୍ତି ଯେ, ସ୍ଥାନୀୟ ସଂକ୍ରମଣ ଯେତିକି ବଢୁଛି, ଚିନ୍ତା ସେତିକି ବଢୁଛି। ବସ୍ତି ସବୁ ସାନିଟାଇଜ କରାଯାଉ। ସେଠାରେ ବାସିନ୍ଦା ସଚେତନ ନୁହଁନ୍ତି, ଆଗକୁ ଭୟଙ୍କର ପରିସ୍ଥିତି ହେବ। ହୋମ ଆଇସୋଲେଶନରେ ଲୋକ ଅଧିକ ହଇରାଣ ହେଉଛନ୍ତି। ସେମାନେ ଘରେ ଓ ବାହାରେ ଅଛୁଆଁ ହୋଇ ରହୁଛନ୍ତି। ତାଙ୍କର ମାନସିକ ସ୍ଥିତି ଖରାପ ହେଉଛି। ସରକାରୀ ସ୍ତରରେ ଫୋନ କଲେ, କେହି ଉଠାଉ ନାହଁନ୍ତି। ତା ପ୍ରତି ସରକାର ଦୃଷ୍ଟି ଦିଅନ୍ତୁ। ପୂର୍ବରୁ କଣ୍ଟାକ୍ଟ ଟ୍ରେସିଂ ପାଇଁ ପର୍ଯ୍ୟାପ୍ତ ବ୍ୟବସ୍ଥା ଥିବା କହିଥିଲେ। ସନ୍ଧ୍ୟାରେ ପ୍ରେସ୍ ବ୍ରିଫ୍ ହେଉଥିଲା। ତାହାର ତଥ୍ୟ ସହ କିଛି ତାଳମେଳ ନାହିଁ। ରୋଗୀଙ୍କ ସେବା ଓ ଚିକିତ୍ସା ପାଇଁ ବ୍ୟବସ୍ଥା ଦିଅନ୍ତୁ। ମୁଖ୍ୟମନ୍ତ୍ରୀ ବିଶେଷ ଦୃଷ୍ଟି ଦିଅନ୍ତୁ।
କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଯେପରି ଦିଲ୍ଲୀ ସମ୍ଭାଳିଲେ, ତାଙ୍କ ସହଯୋଗ ନିଅନ୍ତୁ ରାଜ୍ୟ ସରକାର। ଏହା ହେଲେ ଯାଇ ଭୁବନେଶ୍ୱରରେ କରୋନା ଉପରେ ରୋକ ଲାଗି ପରିବ। ଦିଲ୍ଲୀ ଢାଞ୍ଚାରେ ଭୁବନେଶ୍ୱରରେ କରୋନା ଉପରେ ବ୍ରେକ ଲଗାଯାଉ। କେନ୍ଦ୍ରର ସହାୟତା ଲୋଡନ୍ତୁ ଓଡ଼ିଶା ସରକାର। ରାଜନୀତି ବାହାରେ ଆମେ ଏହି ଅନୁରୋଧ କରୁଛୁ। ଯଦି ବିଜେପି ଶାସିତ ରାଜ୍ୟ ଉତ୍ତର ପ୍ରଦେଶ, ମଧ୍ୟ ପ୍ରଦେଶ କରିନାହାନ୍ତି ବୋଲି କଣ ଆମେ କରିବାନି। ଦେଶର ସବୁଠୁ ବଡ଼ ଉଦାହରଣ ଦିଲ୍ଲୀ। ତାକୁ ମଡେଲ ଭାବେ ଗ୍ରହଣ କରାଯାଉ ବୋଲି ବାବୁ ସିଂ କହିଛନ୍ତି।
