ଭୁବନେଶ୍ଵର: ମାତୃଭାଷାରେ ଶିକ୍ଷାଦାନ ହିଁ ବୌଦ୍ଧିକ ପରିପକ୍ଵତାର ଆଧାର। ଯେଉଁ ଜାତିର ଭାଷା ନାହିଁ ସେ ଜାତି କେବେ ଉପରକୁ ଉଠି ନାହିଁ। ତେଣୁ ମାତୃଭାଷାର ସୁରକ୍ଷା ଦ୍ଵାରା ହିଁ ଗୋଟିଏ ସମାଜର ପ୍ରତିଷ୍ଠା, ପରମ୍ପରା ଓ ଐତିହ୍ୟର ସୁରକ୍ଷା ସମ୍ଭବ। ଯାହାକୁ ନେଇ ସାରା ବିଶ୍ୱରେ ଫେବୃଆରୀ ୨୧ ତାରିଖ ଦିନ ‘ଅନ୍ତର୍ଜାତୀୟ ମାତୃଭାଷା ଦିବସ’ ପାଳିତ ହୋଇଥାଏ । ଏହି ଦିବସ ପାଳନର ମୁଖ୍ୟ ଲକ୍ଷ ହେଉଛି ଐତିହ୍ୟ, ସଂସ୍କୃତି ଓ ପରମ୍ପରାର ରକ୍ଷା। ଏଠାରେ ଆମେ ଯଦି ଆମ ଓଡିଆ ଭାଷା ଆଉ ଓଡିଶା ପ୍ରଦେଶ କଥା କହିବା ଓଡିଶା ପ୍ରଥମ ରାଜ୍ୟ ଯାହାର ଗଠନ ଭାଷା ଭିତ୍ତିରେ ଗଢ଼ା। ତେବେ ବିଳମ୍ବ ହେଉପଛେ ୨୦୧୪ ମସିହା ମାର୍ଚ୍ଚ ୧୧ତାରିଖରେ ଓଡ଼ିଆ ଭାଷାକୁ ଶାସ୍ତ୍ରୀୟ ମାନ୍ୟତା ପ୍ରଦାନ କରାଯାଇଛି। ଏହା ପରେ ଜାତୀୟ ତଥା ଅନ୍ତର୍ଜାତୀୟ ସ୍ତରରେ ଓଡିଆ ଭାଷା ସାହିତ୍ୟର ଦବଦବା ବଢିଥିବା ପରିଲକ୍ଷିତ ହୋଇଛି। ସର୍ବୋଚ୍ଚ ନ୍ୟାୟାଳୟ, ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଠାରୁ ଆରମ୍ଭ କରି ଗୁଗଲରେ ମଧ୍ୟ ଓଡିଆ ଭାଷାର ପ୍ରାଧାନ୍ୟତା ଦେଖିବାକୁ ମିଳିଛି। ଯାହାକୁ ନେଇ ପ୍ରତ୍ୟେକ ଓଡିଆ ଆଜି ଗର୍ବିତ।
ରାଜ୍ୟ ସରକାର ଓଡିଆ ଭାଷାର ପ୍ରଚାର ପ୍ରସାର ପାଇଁ ସମସ୍ତ ସରକାରୀ ଅଫିସରେ ଓଡିଆ ଭାଷା ବାଧ୍ୟତାମୂଳକ କରିଛନ୍ତି ସତ। ହେଲେ ଆଜି ବି ଏହା ପାଳନ ହେଉନଥିବା ଦେଖିବାକୁ ମିଳିଛି। ସରକାରୀ ନିର୍ଦ୍ଦେଶ ଅନୁଯାୟୀ ରାଜ୍ୟର ସଚିବାଳୟ ଠାରୁ ଆରମ୍ଭ କରି ବିଭିନ୍ନ ସରକାରୀ କାର୍ଯ୍ୟାଳୟରେ ଓଡିଆରେ ନାମଫଳକ ରହିବାକୁ ଥିଲେ ମଧ୍ୟ ଆଜି ବି ସବୁଆଡେ ବିଦେଶୀ ଇଂରାଜୀ ଭାଷାର ପାଦୃଭାବ କମିନାହିଁ। ସେହିପରି ବିଧାନସଭାର ତଥ୍ୟ ଅନୁଯାୟୀ ଓଡିଆ ମାତୃଭାଷାର ସମୃଦ୍ଧି, ସଂରକ୍ଷଣ ଓ ବିକାଶ ପାଇଁ ବିଭିନ୍ନ ପଦକ୍ଷେପ ନିଆଯାଉଥିବା ରାଜ୍ୟ ସରକାର କହିଛନ୍ତି। ଓଡିଆ ଭାଷାର ସୁରକ୍ଷା, ପ୍ରଚାର ପ୍ରସାର ଓ ଗବେଷଣା ପାଇଁ ପ୍ରତିବର୍ଷ ରାଜ୍ୟ ସ୍ତରରେ ଫକୀରମୋହନ ଭାଷା ସମ୍ମାନ ପ୍ରଦାନ କରାଯିବା ସହିତ ଓଡ଼ିଆ ଭାଷା ସଂସ୍କୃତିକୁ ନେଇ ଐତିହ୍ୟ କ୍ୟାବିନେଟ ମଧ୍ୟ ଗଠନ କରାଯାଇଛି। ଏମିତି କି ସୀମାନ୍ତବର୍ତ୍ତୀ ଜିଲ୍ଲା ଗୁଡିକରେ ମଧ୍ୟ ଓଡିଆ ମାତୃଭାଷାର ସୁରକ୍ଷା , ପ୍ରଚାର ପ୍ରସାର ନେଇ ଅନୁଦାନ ଦିଆଯାଉଥିବା ସଂସ୍କୃତି ମନ୍ତ୍ରୀ କହିଛନ୍ତି। ତେବେ ଏସବୁ ପରେ ମଧ୍ୟ ଓଡିଆ ମାତୃଭାଷା ଆଜି ଉଚିତ ନ୍ୟାୟ ପାଇନଥିବା ଓଡିଆ ଭାଷାବିତ ମାନେ କହିଛନ୍ତି।
ତେବେ ଖାଲି ସରକାର ନୁହେଁ ପ୍ରତ୍ୟେକ ଓଡିଆ ବି ନିଜକୁ ଓଡିଆ ବୋଲି ଗର୍ବ କରିବା ସହିତ ଓଡିଆ ଅସ୍ମିତାର ଉନ୍ନତି ଦିଗରେ କାମ କରିବା ନିତ୍ୟାନ୍ତ ଆବଶ୍ୟକ, ତାହେଲେ ଯାଇ ଓଡିଆ ମାତୃଭାଷାକୁ ଉଚିତ ନ୍ୟାୟ ମିଳିପାରିବ।