ଭୁବନେଶ୍ୱର : ପାରାଦୀପ ଠାରେ ତୈଳ ବିଶୋଧନାଗାର ପ୍ରତିଷ୍ଠା ପାଇଁ ରାଜ୍ୟ ସରକାର ଏବଂ ଆଇଓସିଏଲ୍ ସହ ହୋଇଥିବା ବୁଝାମଣା ପତ୍ର ବା ଏମଓୟୁରେ ରାଜ୍ୟ ସରକାରଙ୍କ ସହ ସ୍ଥାନୀୟ ଠିକାଦାରଙ୍କୁ କାମ ଏବଂ ଜମି ହରାଇଥିବା ଲୋକଙ୍କୁ କୌଣସି ପ୍ରକାର ନିଯୁକ୍ତି ଦେବା ନେଇ ଆଇଓସିଏଲ୍ ସହ ଚୁକ୍ତି ହୋଇନାହିଁ ବୋଲି ବିଧାନସଭାରେ ଏ ସମ୍ପର୍କିତ ପ୍ରଶ୍ନର ଲିଖିତ ଉତ୍ତରରେ କହିଛନ୍ତି ରାଜ୍ୟ ଶିଳ୍ପ ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର ।
ଶିଳ୍ପ ମନ୍ତ୍ରୀ ଉଲ୍ଲେଖ କରିଛନ୍ତି ଯେ ପାରାଦୀପରେ ୩୪ ହଜାର ୫୫୫ କୋଟି ଟଙ୍କା ବ୍ୟୟରେ ୯ ଏମଏମଟିପିଏ କ୍ଷମତା ବିଶିଷ୍ଟ ତୈଳ ବିଶୋଧନା ପ୍ରକଳ୍ପ ପ୍ରତିଷ୍ଠା ପାଇଁ ୧୬ ଫେବୃୟାରୀ ୨୦୦୪ରେ ରାଜ୍ୟ ସରକାର ଏବଂ ଆଇଓସିଏଲ ସହ ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଥିଲା । ମାତ୍ର ଏହି ଚୁକ୍ତିରେ ସ୍ଥାନୀୟ ଠିକାଦାର ଏବଂ ଭୂମି ହରାଇଥିବା ଲୋକଙ୍କୁ କୌଣସି ପ୍ରକାର ନିଯୁକ୍ତି ଦେବା ନେଇ ଆଇଓସିଏଲ୍ ସହ ଚୁକ୍ତି ହୋଇନାହିଁ ।
ଆଇଓସିଏଲର ତଥ୍ୟ ଅନୁଯାୟୀ ଏହି କମ୍ପାନୀରେ ରାଜ୍ୟର ଜଗତସିଂହପୁର ଜିଲ୍ଲା ସମେତ ଅନ୍ୟ ଜିଲ୍ଲାରୁ ମୋଟ ୫ ହଜାର ୫୯ ଲୋକଙ୍କୁ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ନିଯୁକ୍ତି ଦିଆଯାଇଛି। ସେହିପରି ଉକ୍ତ କମ୍ପାନରେ ଜମି ହରାଇଥିବା ଲୋକଙ୍କୁ ଆଇଓସିଏଲ୍ ପକ୍ଷରୁ ୩୮୭ ଜଣଙ୍କୁ ପରୋକ୍ଷ ଭାବେ ନିଯୁକ୍ତି ଦିଆଯାଇଥିବା ପତ୍ରରେ ଉଲ୍ଲେଖ ରହିଛି ।
ସୂଚନାଯୋଗ୍ୟ, ଆଇଓସିଏଲର ସୂଚନାନୁଯାୟୀ ପାରାଦୀପରେ ପ୍ରତିଷ୍ଠିତ ତୈଳ ବିଶୋଧନାଗାରରେ ପ୍ରତ୍ୟକ୍ଷ ଭାବେ ମୋଟ ୮୭୮ ଜଣଙ୍କୁ ନିଯୁକ୍ତି ଦିଆଯାଇଥିବା ବେଳେ ପରୋକ୍ଷ ଭାବେ ୬୯୦୪ ଜଣଙ୍କୁ ନିଯୁକ୍ତି ଦିଆଯାଇଛି । ଏପରିକି ମୋଟ ୬ ହଜାର ୯୦୪ ଜଣଙ୍କୁ ନିଯୁକ୍ତି ଦିଆଯାଇଛି ।
