ଆମେ କହୁଛୁ ଖୋର୍ଦ୍ଧା ଜିଲ୍ଲାର ବାଲୁଗାଁ ବାଣପୁର ଅଞ୍ଚଳର କଥା। ଏହି ଅଞ୍ଚଳର ଲୋକମାନେ ପ୍ରାୟତଃ କୃଷି କାର୍ଯ୍ୟ ଉପରେ ନିର୍ଭର କରିଥାନ୍ତି। କୃଷି କାର୍ଯ୍ୟ ପାଇଁ ଯେଉଁ ସବୁ ଲୁହାରେ ତିଆରି ସାମଗ୍ରୀ ଆବଶ୍ୟକ ତାହା ଏବେ ଦେଖିବାକୁ ମିଳୁନାହିଁ। କମାର-ଶାଳରେ ପୂର୍ବ ପରି ଠୁକୁରୁ ଠାକର ଶବ୍ଦ ଶୁଭୁ ନାହିଁ । ଧୀରେ ଧୀରେ ବୁଡିବାକୁ ବସିଲାଣି କମାର ମାନଙ୍କର ବୃତ୍ତି । ଚାଷ କାର୍ଯ୍ୟ ପାଇଁ କୃଷି ଉପକରଣ ହେଉ ଅବା ଘର କରଣା ଲୌହ ଯନ୍ତ୍ରପାତି ପାଇଁ ଆଉ କମାରଶାଳ ସାମ୍ନାରେ ଲୋକ ମାନଙ୍କ ଭିଡ଼ ଦେଖିବାକୁ ମିଳୁନାହିଁ । ଫଳରେ ନିଜର କୌଳିକ ବୃତ୍ତି ଛାଡି ଅନ୍ୟ ପନ୍ଥା ଆପଣେଇବା ପାଇଁ ବାଧ୍ୟ ହେଉଛନ୍ତି କମାର ସଂପ୍ରଦାୟର ଲୋକମାନେ । ଜୀବନ ଜୀବିକା ହରାଇ ପରିବାର ପ୍ରତିପୋଷଣ କରିବା ସେମାନଙ୍କ ପାଇଁ କଷ୍ଟସାଧ୍ୟ ହୋଇପଡ଼ିଛି।
ଅନ୍ୟ କୌଳିକ ବୃତ୍ତି ଭଳି ଚାଷୀଙ୍କର ହାତବାରିସୀ ସାଜିଥିବା କମାର-ଶାଳ ଏବେ ଲୋପ ପାଇବାକୁ ବସିଲାଣି । ଚାଷ ପାଇଁ ଆବଶ୍ୟକ ହେଉଥିବା ଚାଷ ଉପକରଣ ଯଥା ହଳ-ଲଙ୍ଗଳର ଲୁହା, ଦାଆ, କୋଡି, କୋଦାଳ, କୁରାଢି, ଟାଙ୍ଗିଆ, କଟୁରୀ, ଶଗଡ ଗାଡିରେ ବ୍ୟବହାର ହେଉଥିବା ବଳା, ଝାମ, ଜୁଆଳିରେ ବ୍ୟବହୃତ ହେଉଥିବା କଣ୍ଟା ଇତ୍ୟାଦି ପାଇଁ କମାରଶାଳ ଉପରେ ନିର୍ଭର କରୁଥିଲେ ଚାଷୀ କୂଳ ଲୋକମାନେ। ଫଳରେ କାହିଁ କେଉଁ ଆବହମାନ କାଳରୁ ଏହି ସଂପ୍ରଦାୟର ଲୋକ ମାନେ କୃଷି ନିର୍ମିତ ଲୁହା ଉପକରଣ ବିକ୍ରି କରି ନିଜର ପରିବାର ପ୍ରତି ପୋଷଣ କରୁଥିଲେ। ଆବହମାନ କାଳରୁ ଚାଲି ଆସୁଥିବା ଏହି ପ୍ରଥା ଆଧୁନିକ ଯୁଗରେ ଯନ୍ତ୍ରପାତି ଯୋଗୁଁ ହଜିବାକୁ ବସିଲାଣି।
ଲୁହା ଖଣ୍ଡକୁ ଗରମ କରି ହାତୁଡିରେ ବାଡେଇ ବାଡେଇ ବିଭିନ୍ନ ଉପକରଣ କମାର ସଂପ୍ରଦାୟର ଲୋକମାନେ ତିଆରି କରିଥାନ୍ତି । ଲୁହା ଖଣ୍ଡକୁ ଗରମ କରିବା ପାଇଁ ଆବଶ୍ୟକ ପଡିଥାଏ ବିଭିନ୍ନ ପ୍ରକାରର କାଠର ଅଙ୍ଗାର । । ଲୁହା ଉପକରଣ ତିଆରି ପାଇଁ କମାରଶାଳରେ ବ୍ୟବହୃତ ହେଉଥିବା କାଠର ଅଙ୍ଗାର ଆଉ ପାଉନାହିଁ କମାର । ସରକାର କୃଷି ପାଇଁ ଅତ୍ୟାଧୁନିକ ଯନ୍ତ୍ରପାତି ତିଆରି କରି କୃଷକ ମାନଙ୍କୁ ଯୋଗାଉ ଥିବାରୁ କୃଷକ ମାନେ ଲୁହା ଉପକରଣ ପାଇଁ ଏବେ କମାର ମାନଙ୍କ ଉପରେ ଆଉ ନିର୍ଭର କରୁନାହାନ୍ତି । ଫଳରେ ଏହି ସଂପ୍ରଦାୟର ଲୋକ ମାନେ ଜୀବନ ଜୀବିକା ହରାଇ ପରିବାର ପ୍ରତିପୋଷଣ ପାଇଁ ବହୁ ସଂଘର୍ଷ କରୁଛନ୍ତି । ସରକାରୀ ପ୍ରୋତ୍ସାହନ ପାଇଁ କମାର ସମ୍ପ୍ରଦାୟର ଲୋକମାନେ ଦାବି କରିଛନ୍ତି।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର