ଧର୍ମ ଓ ପୂଣ୍ୟର ମାସ କାର୍ତ୍ତିକ ମାସ। ଦୀର୍ଘ ଏକମାସ ଧରି ଚାଲିବ କାର୍ତ୍ତିକ ମାସ। କାର୍ତ୍ତିକ ମାସରେ ଶ୍ରୀମନ୍ଦିର ଯେତିକି ଗହଳିଚହଳି ହୋଇଥାଏ ତାଠାରୁ ବେଶୀ ଗହଳିଚହଳି ହୋଇଥାଏ ଆନନ୍ଦବଜାର। କାରଣ ମହାପ୍ରସାଦର ଚାହିଦା କାର୍ତ୍ତିକ ମାସରେ ବେଶୀ ରହିଥାଏ। କିନ୍ତୁ ଏବେ ମହାପ୍ରସାଦ କ୍ରୟରେ ଦେଖିବାକୁ ମିଳିଛି ବ୍ୟାପକ ଅନିୟମିତତା। ନିର୍ଦ୍ଧାରିତ ଦର ଠାରୁ ବେଶ୍ ଚଢା ଦରରେ ମହାପ୍ରସାଦ ଭକ୍ତମାନେ କ୍ରୟ କରୁଥିବାରୁ ଅସନ୍ତୋଷ ଦେଖାଦେଇଛି। କିଛି ଦଲାଲ୍ ଶ୍ରୀମନ୍ଦିର ଭିତରେ ସୁଆର ମାନଙ୍କ ଠାରୁ ମହାପ୍ରସାଦ କ୍ରୟ କରି ଭକ୍ତଙ୍କୁ ଚଢା ଦରରେ ବିକୁଥିବା ଖୋଦ୍ ନିଯୋଗର ସମ୍ପାଦକ ଅଭିଯୋଗ ଆଣିଛନ୍ତି। ସେପଟେ 2019 ରେ ମାନ୍ୟବର ସୁପ୍ରିମକୋର୍ଟ ଆନନ୍ଦବଜାରରେ ଶୃଙ୍ଖଳା ଆଣିବା ସହ ମହାପ୍ରସାଦର ଦର ନିର୍ଦ୍ଧାରଣ କରି ରେଟ୍ ଚାଟ୍ ମାରିବାକୁ ନିର୍ଦ୍ଦେଶ ଦେଇଥିଲେ। ତେବେ ମହାପ୍ରସାଦର ଦର ନିର୍ଦ୍ଧାରଣ ପାଇଁ ଦୁଇଦୁଇଥର ପରୀକ୍ଷାମୂଳକ ଭାବେ ପ୍ରୟୋଗ କରାଯାଇଥିଲେ ମଧ୍ୟ ଏଯାବତ୍ ତାହା ଫେଲ୍ ମାରିଛି। ସେପଟେ ଖୁବଶୀଘ୍ର ମହାପ୍ରସାଦର ଦର ନିର୍ଦ୍ଧାରଣ ସହ ଆଗାମୀ ଦିନରେ ଭକ୍ତ ଶ୍ରଦ୍ଧାଳୁ କିଭଳି ସୁଲଭ ଦରରେ ପାଇବେ ଓ ରେଟ୍ ଚାଟ୍ କିଭଳି ଯଥାଶୀଘ୍ର କାର୍ଯ୍ୟକାରୀ ହେବ ସେନେଇ ବ୍ୟାପକ ବନ୍ଦୋବସ୍ତ କରାଯିବ ବୋଲି ସୁଆରମହାସୁଆର ନିଯୋଗ ସମ୍ପାଦକ ନାରାୟଣ ମହାସୁଆର କହିଛନ୍ତି।
ଲଗାତାର ଦୁଇବର୍ଷ କରୋନା କଟକଣା ପରେ ଚଳିତବର୍ଷ କାର୍ତ୍ତିକ ମାସରେ ଶ୍ରୀକ୍ଷେତ୍ରରେ ପ୍ରତ୍ୟେକଦିନ ଲକ୍ଷାଧିକ ଭକ୍ତ ଶ୍ରଦ୍ଧାଳୁଙ୍କ ସମାଗମ ହେଉଛି। ରତ୍ନସିଂହାସନରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ଦର୍ଶନ କରିବା ସହ ମହାପ୍ରସାଦ ସେବନ କରି ଭକ୍ତମାନେ ତୃପ୍ତି ଲାଭ କରୁଛନ୍ତି। କିନ୍ତୁ ମହାପ୍ରସାଦର ଦର ଚଢା ରହିଥିବାରୁ ଭକ୍ତ ମହଲରେ ଅସନ୍ତୋଷ ଦେଖାଯାଉଥିବା ବେଳେ ତୁରନ୍ତ ଏହାର ଦର ନିର୍ଦ୍ଧାରଣ କରି ରେଟ୍ ଚାଟ୍ ଲଗାଇ ସୁପ୍ରିମକୋର୍ଟଙ୍କ ନିର୍ଦେଶକୁ କାର୍ଯ୍ୟକାରୀ କରିବାକୁ ବୁଦ୍ଧିଜୀବୀ ଓ ସେବାୟତ ମହଲରେ ଦାବି ହୋଇଛି।