ଦିନକ ପୂର୍ବରୁ ନବଦାସଙ୍କୁ ହତ୍ୟା କରାଗଲା। ଏଥିପୂର୍ବରୁ ବ୍ରଜରାଜନଗର ବିଧାୟକ କିଶୋର ମହାନ୍ତି, ପଦ୍ମପୁର ବିଧାୟକ ବିଜୟ ରଂଜନ ସିଂ ବରିହା, ବିଜେପୁର ବିଧାୟକ ରିପୁନାଥ ସେଠଙ୍କ ମୃତ୍ୟୁ ଘଟିଥିଲା। ନିଜ ନିର୍ବାଚନମଣ୍ଡଳୀର ଟାଣୁଆ ନେତା ଭାବେ ଏମାନେ ବେସ୍ ପ୍ରିୟଭାଜନ ହୋଇଥିଲେ। ଆଉ ଏ ସମସ୍ତେ ଗୋଟିଏ ଲୋକସଭା ନିର୍ବାଚନ ମଣ୍ଡଳୀରୁ ପ୍ରତିନିଧିତ୍ବ କରୁଥିଲେ। କିନ୍ତୁ ନବଙ୍କ ପରଲୋକ ପରେ ସବୁଠୁ ବେଶି ମନେ ପଡୁଛନ୍ତି କିଶୋର ଦା’, ଓରଫ କିଶୋର ମହାନ୍ତି।
୨୦୦୪ରୁ ସକ୍ରିୟ ରାଜନୀତିକୁ ଆସିଥିବା ନବ ବାବୁ ପ୍ରଥମେ କିଶୋର ମହାନ୍ତିଙ୍କ ସହ ପ୍ରତିଦ୍ବନ୍ଦ୍ିତା କଲେ। କିନ୍ତୁ ଦୁଭାଗ୍ୟ ସେହି ବର୍ଷ ନିର୍ବାଚନ ହାରିଲେ। ରାଜନୀତିରେ ହାରଜିତ ସାଧାରଣ କଥା। ଆଉ ଖାସ ଏଇଥିପାଇଁ ପୁଣି ୨ୟ ପାଳିକୁ ଅପେକ୍ଷା କଲେ ନବ। ସମସ୍ତେ କହିଲେ କିଶୋରଙ୍କୁ ହରାଇବା ନବଙ୍କ ପାଇଁ ବଡ଼ ଚ୍ୟାଲେଞ୍ଜ ହେବ। ସମୟର ଚକ ଗଡିଲା। ଆସିଲା ୨୦୦୯ ନିର୍ବାଚନ। କଡାକଡି ଟକ୍କର ଭିତରେ ମୁହାଁମୁହିଁ ହେଲେ ନବ ଦାସ, କିଶୋର ମହାନ୍ତି। କିନ୍ତୁ ଏଥର କିଶୋରଙ୍କୁ ଚେକ ଦେଇ ଝାରସୁଗଡା ଗାଦି ହାତେଇନେଲେ ନବ। ଝାରସୁଗୁଡାରେ ଆରମ୍ଭ ହେଲା ନବ ଯୁଗ।
ତା ପରେ ୨୦୧୪ ନିର୍ବାଚନ। ସେହି କଂଗ୍ରେସ ଦଳରୁ ପୁଣି ଥରେ ଲୋକଙ୍କ ଆସ୍ଥା ଜିତି ସେ ବିଧାନସଭା ଗଲେ ନବ। ୨୦୧୯ ବେଳକୁ ସ୍ଥିତି ବଦଳିଗଲା। କଂଗ୍ରେସ ନିଜର ଅସ୍ତିତ୍ବ ବଞ୍ଚାଇବାରେ ବ୍ୟସ୍ତ । ଏତିକିବେଳେ ସେ କଂଗ୍ରେସକୁ ବାଏ ବାଏ କହି ବିଜେଡିର ଫୁଲତୋଡା ସ୍ବୀକାର କରନ୍ତି । ଆଉ ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଶ୍ରଦ୍ଧା ଭାଜନ ହୋଇ ବିଜେଡି ଟିକେଟରେ ଝାରସୁଗୁଡାରୁ ପ୍ରତିଦ୍ବନ୍ଦିତା କରନ୍ତି। ବିଜେଡିର ପାରମ୍ପରିକ ପ୍ରାର୍ଥୀ କିଶୋର ମହାନ୍ତିଙ୍କ ସହ ଏଥାର କିନ୍ତୁ ପ୍ରତିଦ୍ବନ୍ଦିତା କରିବାକୁ ମିଳେନି। କିଶୋର ବିଜେଡି ଟିକେଟରୁ ଲଢନ୍ତି ବ୍ରଜରାଜନଗର ଆସନରୁ। ଦୁଇ ପାରମ୍ପରିକ ପ୍ରତିଯୋଗୀ ନିର୍ବାଚନ ଜିତି ଏକାଠି ଆସନ୍ତି ବିଧାନସଭା। ହାତ ମିଶାନ୍ତି, କଥା ହୁଅନ୍ତି।
କିନ୍ତୁ ବିଧିର ବିଧାନ ବଡ଼ ବିଚିତ୍ର। ଦୁଇ ଚିର ପ୍ରତିଦ୍ବନ୍ଦିଙ୍କୁ ଗୋଟିଏ ଦଳକୁ ଆଣିଥିବା ସମୟ ଏଥର କିନ୍ତୁ ନିଜ ନିଷ୍ପତ୍ତି ବଦଳାଏ। କାଳର କରାଳ ଗର୍ଭର ବିଲୀନ କରିବାକୁ ସମୟ ବି ସମୟ ମାଗେ। ଅବଧି ମାତ୍ର ବର୍ଷଟିଏ। ଗୋଟିଏ ବର୍ଷର ବ୍ୟବଧାନ ଭିତରେ ଆଗ ପଛ ହୋଇ ପରପାରିକୁ ଚାଲି ଯାଆନ୍ତି ନବ ଆଉ କିଶୋର। ୩୦-୧୨-୨୦୨୧। ବ୍ରଜରାଜ ନଗର ବିଧାୟକ କିଶୋର ମହାନ୍ତିଙ୍କ ପରଲୋକ ହୁଏ। ଆଉ ଏହାର ପାଖାପାଖି ଠିକ୍ ବର୍ଷକ ପରେ ନବଙ୍କୁ ହତ୍ୟା କରାଯାଏ। ୨୯-୧-୨୦୨୩ କିଶୋରଙ୍କ ଚିର ପ୍ରତିଦ୍ବନ୍ଦି ନବ ଦାସଙ୍କ ପରଲୋକ। ସତେ ଯେମିତି ଲାଗେ ସେମାନଙ୍କ ପ୍ରତିଦ୍ବନ୍ଦିତା ନିର୍ବାଚନରୁ-ମୃତ୍ୟୁ ପର୍ଯ୍ୟନ୍ତ ଏବେ ବି ଜାରି ରହିଛି।