ଅନ୍ୟ ଦେଶ ମାଳ ମାଳ ମେଡାଲ ନେଇ ଅଲିମ୍ପିକ୍ସରୁ ଘରକୁ ଫେରିଲେ। ହେଲେ ଆମ ହାତରେ ୭। ସତେ ଯେମିତି ୭ ଜନ୍ମର ପୂଣ୍ୟ ମିଳିଗଲା। ହଉ, ସେହି ୭ ଜଣ ଖେଳାଳି ନିଶ୍ଚିତ ଅଭୁତପୂର୍ବ ପ୍ରଶଂସାଯୋଗ୍ୟ।
ଦେଖାଇ ହେଲା ଭଳି କାମ ଖେଳାଳି କରିଛନ୍ତି। କିନ୍ତୁ ଏମାନେ ଦେଖାଇ ହେଲା ଭଳି ଖେଳପ୍ରେମ ଦେଖାଇବା କେତେଦୂର ଭଲ ଆପଣ କୁହନ୍ତୁ ?
ଯେଉଁ ଖେଳାଳି ଗାଁ ଗଣ୍ଡାରେ ଖେଳି ଖେଳି ନୟାନ୍ତ ହେଉଛନ୍ତି, ତମେ ତାଙ୍କୁ ଟିକେ ପ୍ରଶିକ୍ଷଣ ଦେଇପାରିଲନି। ସେମାନେ ନିଜ ଯୋଗ୍ୟତାରେ ମେଡାଲ ଆଣିଲା ପରେ କହୁଚ କ’ଣ ନାଁ ଆମେ ଖେଳର ବିକାଶ କରିବୁ। ହଉ ହେଲା, ଏଇଟା ବି ଭଲ କଥା। ଏହି କ୍ରମରେ ଦେଖିବାକୁ ଗଲେ ଆମ ରାଜ୍ୟ ସରକାର ଏବେ ଚେତା ପାଇଲା ଭଳି ଲାଗୁଛନ୍ତି। ଘୋଷଣା କରିଛନ୍ତି ଏଣିକି ୮୯ଟି ଇଣ୍ଡୋର ଷ୍ଟାଡିୟମ ରାଜ୍ୟବ୍ୟାପୀ ନିର୍ମାଣ ହେବ। ଏଇଠି ଗାଁ ଗଣ୍ଡାର ପିଲା ଅଭ୍ୟାସ କରିବେ ଆଉ ଅଲିମ୍ପିକ୍ସରୁ ମାଳମାଳ ସୁନା ରୂପା ମେଡାଲ ବହି ଆଣିବେ।
କିନ୍ତୁ ଏହି ମହତ କାମଟିକୁ ବି ରାଜନୀତି ରଙ୍ଗରେ ରଙ୍ଗେଇବାକୁ ବସିଛନ୍ତି ରାଜ୍ୟ ସରକାର। କଥା କ’ଣ ନାଁ ଏ ସବୁ ଷ୍ଟାଡିୟମର ନାମକରଣ ବିଜୁ ବାବୁଙ୍କ ନାଁରେ ହେବ। ଏଇଟା କି ଅଭିଲା ଭଲା କଥା କହିଲେ ?
ବିଜୁ ବାବୁ ଏ ରାଜ୍ୟ ପାଇଁ ବହୁତ କରିଛନ୍ତି। ଏ କଥା ଆମେ ବି ମାନିବୁ, ଆପଣ ବି ମାନିବେ। ତାଙ୍କ ପ୍ରତି ଆମର ଯଥେଷ୍ଟ ସମ୍ମାନ ମଧ୍ୟ ଅଛି। ହେଲେ ନାମକରଣ ପ୍ରସଙ୍ଗରେ ଆମେ ସରକାରଙ୍କୁ ନାକ ନ ଟେକିବୁ କେମିତି ?
ଦଳ ଯେହେତୁ ‘ବିଜୁ’ଙ୍କ ନାଁରୁ ଆରମ୍ଭ ଏହାର ଫାଇଦା ନେବାକୁ ଦଳ ସବୁଥିରେ ବିଜୁ ନାଁ ଯୋଡି ଦେଉଛି। ବିଜୁ ଅମୁକ ଯୋଜନା, ବିଜୁ ସମୁକ ଯୋଜନା। ବିଜୁ ଅମୁକ ପ୍ରକଳ୍ପ ବିଜୁ ସମୁକ ପ୍ରକଳ୍ପ ଇତ୍ୟାଦି ଇତ୍ୟାଦି।
କିନ୍ତୁ ଏହା ଆଦୌ ଯୁକ୍ତି ସଙ୍ଗତ ନୁହେଁ। ସବୁଥିରେ ବିଜୁ ବାବୁଙ୍କ ନାଁକୁ ଯୋଡି ରାଜ୍ୟର ଅନ୍ୟ ସମସ୍ତ ନେତା, ମହାମନିଷୀ, କ୍ରିଡାବିତଙ୍କୁ ଗୌଣ କରିଦେଉଛି ଦଳ। କିଏ କହିବ ଆଗାମୀ ଦିନରେ ଆଉ କୋଉ ଦଳ ସତ୍ତାକୁ ନ ଆସିବ ଆଉ ନାଁ ବଦଳେଇ ନ ଦେବ ?
ଏଣୁ ନାମକରଣ କଲାବେଳେ ବିଭିନ୍ନ କ୍ଷେତ୍ରରେ ବିଶ୍ବ କିର୍ତ୍ତିମାନ ସ୍ଥାପନ କରିଥିବା ଖେଳାଳିଙ୍କ କଥା ଅନ୍ତତଃ ଚିନ୍ତା କରିବା ଭଲ। ନ ହେଲେ କାଲି ନା ବଦଳିଲେ ଆଉ ରାଗ-ରୂଷା ଚଳିବନି। ସେତେବଳେ ରାଇଜ ଯାକର ଲୋକ କହିବେ, ଯାହା ହେଇଛି ଭଲ ହେଇଛି।