ନୋ ଫ୍ଲାଇଁ ଜୋନ୍ ରେ ଡ୍ରୋନ୍ ଉଡାଇବାରୁ ଗତକାଲି ପୁରୀରେ ଅନେକ ପ୍ରତିକ୍ରିୟା ପ୍ରକାଶ ପାଇଥିଲା । ଘଟଣାକୁ ନେଇ ଶ୍ରୀମନ୍ଦିର ସୁରକ୍ଷା ପ୍ରଶାସକ ମଧ୍ୟ ତଦନ୍ତ କରାଯିବ ବୋଲି ଗଣମାଧ୍ୟମରେ କହିଥିଲେ । ତେବେ ଆଜି ୟୁଟୁବର୍ ଅନିମେଶ୍ ଏଭଳି ଡ୍ରୋନ୍ ଉଡାଇବା ଘଟଣାରେ ମହାପ୍ରଭୁ ଓ ସାଢେ ଚାରିକୋଟି ଓଡିଆଙ୍କୁ କ୍ଷମା ମାଗିଛନ୍ତି ।
ତେବେ କିଛିଦିନ ପୂର୍ବରୁ ଆକାଶ ଚୌଧୁରୀ ନାମକ ଜଣେ ବ୍ୟକ୍ତି ଶ୍ରୀମନ୍ଦିର ଗର୍ଭଗୃହ ଭିଜୁଆଲ୍ ଓ ଫଟୋ ସାମାଜିକ ଗଣମାଧ୍ୟମରେ ଅପଲୋଡ଼ କରି ପରବର୍ତ୍ତୀ ପର୍ଯ୍ୟାୟରେ ଗିରଫ ହୋଇଥିଲେ । ତେବେ ଅନିମେଶ୍ ତମାମ୍ ସୁରକ୍ଷା ବ୍ୟବସ୍ଥାକୁ ଭଙ୍ଗ କରି ଶ୍ରୀମନ୍ଦିର ଉପରେ ଡ୍ରୋନ୍ ଉଡାଇ ସୁରକ୍ଷା ବ୍ୟବସ୍ଥାକୁ ସିଧାସଳଖ ଚ୍ୟାଲେଞ୍ଜ କରିଥିଲେ ।
ତେବେ ଏଭଳି ସମ୍ବେଦନଶୀଳ ଘଟଣା ପାଇଁ କେବଳ କ୍ଷମା ପ୍ରାର୍ଥନା କଲେ ହେବନାହିଁ ବରଂ ଦୃଢରୁ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଗଲେ ଏଭଳି ଘଟଣାର ପୁନରାବୃତ୍ତି ହେବ ନାହିଁ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି । ସେପଟେ ଶ୍ରୀଜଗନ୍ନାଥ ଐତିହ୍ୟ ଓ ସାଂସ୍କୃତିକ ପରିଷଦ ତରଫରୁ ଏଭଳି ଘଟଣାରେ ସମ୍ପୃକ୍ତ ଅନିମେଶଙ୍କୁ ଗିରଫ ସହ କାର୍ଯ୍ୟାନୁଷ୍ଠାନ ଦାବିରେ ମହାମହୀମ ରାଷ୍ଟ୍ରପତିଙ୍କୁ ଏକ ପତ୍ର ଲେଖାଯାଇଛି ।