ସୀମା ଟପିଲେ ସମ୍ବିତ ! କହିଲେ, ୨ ଘଂଟାରେ ବନ୍ଦ କରିଦେବୁ ପାରାଦ୍ଵୀପ ପୋର୍ଟ...ହେଲେ କାହିଁକି ?
ଅର୍ଗସ ବ୍ୟୁରୋ : ପୁଣି ସୀମା ଟପିଲେ ପାରାଦ୍ଵୀର ବିଜେଡି ବିଧାୟକ ସମ୍ବିତ ରାଉତରାୟ । ସିଧାସିଧା କେନ୍ଦ୍ର ସରକାରଙ୍କୁ ଟାର୍ଗେଟ୍ କରି ଦୋଷ ଲଦିଲେ । ଏମିତିକି ପୋର୍ଟର କାମ କୁଆଡ଼େ ସ୍ଥାନୀୟ ଠିକାଦାର ପାଉନାହାନ୍ତି ବିଜେପି କଂଟ୍ରାକ୍ଟର ପାଉଛନ୍ତି ବୋଲି ଅଭିଯୋଗ ଆଣିଲେ । ରାଷ୍ଟ୍ରପତି ଦେଇଥିବା ଭାଷଣକୁ ବି ସମାଲୋଚନା କଲେ । କହିଲେ ବୋଧହୁଏ ତାଙ୍କୁ ଯିଏ ଲେଖିକି ଭାଷଣ ଦେଇଛି ସିଏ ହିଁ ବିଜୁ ପଟ୍ଟନାୟକଙ୍କୁ ଭୁଲି ଯାଇଛି ବୋଲି କହିଥିଲେ ସମ୍ବିତ । ତେବେ ରାଷ୍ଟ୍ରପତିଙ୍କ ଅଭିଭାଷଣଙ୍କ ଉପରେ ପ୍ରଶ୍ନ ଉଠାଇଥିବାରୁ ଏବେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଲାଣି ।
ମୋଦି ସରକାର ଅମଳରେ ଓଡ଼ିଶାକୁ ସର୍ବାଧିକ ଗୁରୁତ୍ଵ ଦିଆଯାଉଛି । ଅନୁଦାନ ବି ବଢିଛି । ହେଲେ ବି ପ୍ରତି ମୁହୂର୍ତ୍ତରେ ନିଜର ଅପାରଗତା ଓ ଦୋଷ ଦୁର୍ବଳତାକୁ ଲୁଚାଇବାକୁ କେନ୍ଦ୍ର ସରକାରଙ୍କ ନାଁରେ ମିଛ ପ୍ରଚାର କରିବାକୁ ପଛାଉ ନାହାନ୍ତି ବିଜେଡି ନେତା । ଜାହାର ଜ୍ଵଳନ୍ତ ଉଦାହରଣ ଦେଖିବାକୁ ମିଳିଛି ସମ୍ବିତଙ୍କ କ୍ଷେତ୍ରରେ ।
ତେବେ ପାରାଦ୍ଵୀପ ପୋର୍ଟକୁ ନେଇ କେନ୍ଦ୍ର ମନ୍ତ୍ରୀ ଶ୍ରୀପଦ ନାୟକ କହିଥିଲେ ଯଦି ରାଜ୍ୟ ସରକାର ସଠିକ୍ ଭାବରେ ସହଯୋଗ କରନ୍ତେ ବିକାଶ ଆହୁରି ହୁଅନ୍ତା । ବାସ୍ ଏତିକି କଥାରେ ରକ୍ତଚାଉଳ ଚୋବାଇଥିଲେ ସମ୍ବିତ । କହିଥିଲେ, ପୋର୍ଟକୁ ଅଚଳ କରିଦେବୁ । ଆମେ ଯଦି ରାସ୍ତାକୁ ଓହ୍ଲାଇବୁ ଘଣ୍ଟାକରେ ପାରାଦ୍ଵୀପ ଅଚଳ କରିଦେବୁ । ସେତେବେଳେ ଶ୍ରୀପଦ ନାୟକ ନଥିବେ କି କେହି ନଥିବେ କହିବାକୁ ବି ପଛାଇଲେ ନାହିଁ ।’ ତେବେ ଜଣେ କେନ୍ଦ୍ରମନ୍ତ୍ରୀଙ୍କ ବିରୋଧରେ ଏମିତି ହୀନ ମନ୍ତବ୍ୟ ପୁଣି ଶାସକ ଦଳର ନେତା ଦେଇଥିବାରୁ ତାହାକୁ ନେଇ ସମାଲୋଚନା କରିଛନ୍ତି ବିରୋଧୀ ।
ଗୁରୁତ୍ଵପୂର୍ଣ୍ଣ କଥା ହେଲା ପାରାଦ୍ଵୀପରେ ବୋଇତ ବନ୍ଦାଣ ଉତ୍ସବରେ ଯୋଗ ଦେଇଥିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଆଉ ଅଭିଭାଷଣ ବି ରଖିଥିଲେ । ହେଲେ ପୋର୍ଟ ତିଆରି କରିଛନ୍ତି ବିଜୁବାବୁ, ତାଙ୍କର ଅବଦାନ ଅନେକ । ରାଷ୍ଟ୍ରପତି ତାଙ୍କ ବିଷୟରେ ପଦେ ବି ନକହିବା ସଂପୂର୍ଣ୍ଣ ରାଜନୈତିକ । ସେ ଯେଉଁ ଭାଷଣ ପଢୁଥିଲେ, ବୋଧହୁଏ ଲେଖା ହୋଇ ଦିଆଯାଇଥିଲା । ଭାଷଣରେ ବୋଧହୁଏ ବିଜୁ ବାବୁଙ୍କ କଥା ନଲେଖିବା ପାଇଁ କୁହାଯାଇଥିଲା ବୋଲି କହିଛନ୍ତି ସମ୍ବିତ ରାଉତରାଏ । ତେବେ ରାଷ୍ଟ୍ରପତି ଓ କେନ୍ଦ୍ରମନ୍ତ୍ରୀଙ୍କୁ ନେଇ ସମ୍ବିତ କାହିଁକି ଏମିତି ପ୍ରତିକ୍ରିୟା ଦେଲେ ସେନେଇ ତାଙ୍କର କିମ୍ବା ବିଜେଡି ନେତାଙ୍କର କୌଣସି ପ୍ରତିକ୍ରିୟା ଆମର ହସ୍ତଗତ ହୋଇନାହିଁ ।