ଲିଙ୍ଗରାଜ ମନ୍ଦିର ସଂହଦୁଆରୁ ବିନ୍ଦୁ ସାଗର ଆଡକୁ ଗଲା ବେଳକୁ ପଞ୍ଚରଥ ଶୈଳୀର ସୁନ୍ଦର ମନ୍ଦିରଟିଏ ରହିଛି। ଯାହା ସମ୍ମୁଖରେ ପବିତ୍ର ବିନ୍ଦୁ ସାଗରେ। ଏହି ଦେଉଳରେ ପୂଜା ପାଉଛନ୍ତି ତିନି ଦିଅଁ। ଅନନ୍ତ, ବାସୁଦେବ ଓ ଭୁବନେଶ୍ବରୀ।
ପ୍ରକାରାନ୍ତରେ କହିଲେ ଅନନ୍ତ-ବଳଭଦ୍ର, ଭୁବନେଶ୍ବରୀ-ସୁଭଦ୍ରା ଓ ବାସୁଦେବ-ଶ୍ରୀ ଜଗନ୍ନାଥ। ପ୍ରତିମାଗୁଡିକ ମହାପ୍ରଭୁ ଜଗନ୍ନାଥଙ୍କ ଭଳି ହସ୍ତପଦ ବିହିନ ନୁହେଁ, ବରଂ ହସ୍ତପଦ ଯୁକ୍ତ। ଯେମିତି ଅନବସର ବେଳେ ଆପଣ ପଟିଦିଅଁଙ୍କୁ ଦେଖୁଛନ୍ତି, ଠିକ୍ ସେମିତି ଏ ତିନି ଠାକୁରେ। ଜାଣିଛନ୍ତି, ପ୍ରଭୁ ଜଗନ୍ନାଥ ଦାରୁବ୍ରହ୍ମ ହୋଇଥିବା ବେଳେ ଏ ଠାକୁରେ ଆମ ସଂସ୍କୃତିରେ ଶିଳାବ୍ରହ୍ମ ଭାବେ ଉପାସିତ ହୁଅନ୍ତି।
ଏହାଙ୍କ ପ୍ରତିଷ୍ଠା ପଛରେ ରହିଛି, ସୁନ୍ଦର ଆଉ ରୋଚକ କାହାଣୀ। ଗଜପତି ଅନଙ୍ଗ ଭୀମଦେବଙ୍କ କନ୍ୟା ଚନ୍ଦ୍ରିକା ଦେବୀ, ଭାଗ୍ୟଦୋଷରୁ ବୈଧବ୍ୟ ବରଣ କରନ୍ତି। ପତିଙ୍କ ମତ୍ୟୁ ପରେ ନିସଙ୍ଗ ଜୀବନ ମହାପ୍ରଭୁଙ୍କ ଚରଣାରବିନ୍ଦରେ ସମର୍ପିତ ହୁଏ। ସେତେବେଳର ଗଜପତି ଭାନୁଦେବ ୧ମଙ୍କ ଦ୍ବାରା ମନ୍ଦିର ନିର୍ମାଣ ସମ୍ପନ୍ନ ହୁଏ। ଏବଂ ଠାକୁରଙ୍କ ଶୀଳା ପ୍ରତିମା ଏଠାରେ ପୂଜା ପାଏ। ଚନ୍ଦ୍ରିକା ଦେବୀ ନିଜର ସମଗ୍ର ଜୀବନ ଏହି ଠାକୁରଙ୍କ ଦର୍ଶନ ସେବା ପୂଜାରେ ସମର୍ପଣ କରନ୍ତି।
ଅନନ୍ତ ବାସୁଦେବ ମନ୍ଦିରର ଚଳନ୍ତି ବିଗ୍ରହ ଶ୍ରୀ ବାସୁଦେବ, ଏବେ ଲିଙ୍ଗରାଜ ମନ୍ଦିରର ଦକ୍ଷିଣ ଘରେ ଉପାସିତ ହେଉଛନ୍ତି। ଏ ଠାକୁର ଶୈବକ୍ଷେତ୍ର ଏକାମ୍ରରେ ଲିଙ୍ଗରାଜ ମହାପ୍ରଭୁଙ୍କ ସମସ୍ତ ନୀତି ସହ ଯୁକ୍ତ ହୋଇଛନ୍ତି। ଅନନ୍ତ ବାସୁଦେବ ମନ୍ଦିରରେ ପ୍ରସାଦ ବ୍ୟବସ୍ଥା ମଧ୍ୟ ରହିଛି। ଯାହା ଆପଣଙ୍କୁ ଶ୍ରୀକ୍ଷେତ୍ର ପୁରୀରେ ମହାପ୍ରସାଦର ଭ୍ରମ ସୃଷ୍ଟି କରିବ।
ଆଲେଖ୍ୟ : ମିହିର ପଟ୍ଟନାୟକ
ତଥ୍ୟ ସହାୟକ : Jagannath Temples in Estern India, H.K.Mahatab