ବ୍ରାହ୍ମଣଙ୍କ ଏ କଥା ଶୁଣି ତାଙ୍କର ୧୨ ବର୍ଷର ପୁଅଟା ମୁରୁକି ମୁରୁକି ହସୁଥାଏ। କାରଣ ତା ବୋଉ ତାକୁ କହିଛନ୍ତି ଅଲାରେ ତୋର ସାଙ୍ଗ। ତାଙ୍କୁ ଡାକିଲେ ସିଏ ତୋ ସହ ଆସି ଖେଳିବେ, ତୁମେ ସାଙ୍ଗ ହୋଇ ବୁଲିବ।
୧୨ ବର୍ଷର ପୁଅଟି ପାଇଁ ପ୍ରଭୁ ଅଲାରନାଥ କେତେବେଳେ ବନ୍ଧୁ ତ କେତେବେଳେ ଇଷ୍ଟଦେବ। ହେଲେ ଭଲ ପାଇବା ପାଖରେ ଏ ସବୁ ସମ୍ପର୍କର ମାନେ କ’ଣ ଯେ ?
ତେଣୁ ସେ ନିଇତି ଦେଉଳ ଯାଏ, ଅଲାରଙ୍କ ସହ ଗପ କରେ, ତାଙ୍କୁ ଗୀତ ଶୁଣାଏ। ଦୁହେଁ ବନ୍ଧୁ ପାଲଟି ଯାଆନ୍ତି। ଶ୍ରୀଅଙ୍ଗ ଛୁଇଁ ସେ ନାଚ କରେ। ଆଉ ପ୍ରଭୁ ବି ଏ ମୂହୁର୍ତ୍ତରେ ବିଭୋର ହୁଅନ୍ତି।
ଦିନେ ବ୍ରାହ୍ମଣ ତୀର୍ଥ ଯାତ୍ରାରେ ବାହାରିଲେ। ଘରେ ତାଙ୍କର ଏଇ କୁନି ପୁଅ ଆଉ ସ୍ତ୍ରୀ। ଉଭୟଙ୍କୁ କାନେ କାନେ କହିଗଲେ, ପ୍ରଭୁଙ୍କ ଖୀଆପିଆ କଥା ବୁଝିବ। ଆଉ ପୁଅକୁ କହିଦେଇ ଗଲେ, `ଧନରେ, ପ୍ରଭୁଙ୍କୁ ନ ଖୁଆଇ କେବେ ଖାଇବୁନି’
ବାପାଙ୍କ କଥାକୁ ମୁଣ୍ଡ ଟୁଙ୍ଗାରୀ ହଁ ମାରିଲା ପୁଅ।
ତହିଁ ପରଦିନ ସକାଳୁ। ବ୍ରାହ୍ମଣୀ ରାନ୍ଧିଥିବା ପ୍ରସାଦ ଧରି କୁନି ବ୍ରାହ୍ମଣ ଦେଉଳକୁ ଗଲେ। ଦିଅଁକୁ ଦେଖି ହସିଲେ। କବାଟ ଆଉଜେଇ କହିଲେ…
“ଆସ ଅଲାରେ ଖାଅ ଖିରି, ବାପା ଯାଇଛନ୍ତି ତୀର୍ଥ କରି”।
ଆଉ ଏହି କଥା କହି ସେ ମନ୍ଦିର ଦୁଆର ବନ୍ଦ କରି ବାହାରକୁ ଖେଳିବାକୁ ଚାଲି ଯାଆନ୍ତି। ବାପାଙ୍କ କଥା ରଖି ଠାକୁର ନ ଖାଇବା ଯାଏ ସେ ଫେରନ୍ତି ନାହିଁ। ପିଲାଟିର ଭକ୍ତି ଦେଖି ପ୍ରଭୁ ଅଲାରନାଥ ସବୁଦିନ ଖିରି ପ୍ରସାଦ ଖାଇ ଦିଅନ୍ତି ଆଉ ସେ ବ୍ରାହ୍ମଣ ବାଳକଟି ଖାଲି ପାତ୍ର ଧରି ଘରକୁ ମହା ଆନନ୍ଦରେ ଫେରେ।
ଭୋଗ ନ ଆଣି ଖାଲି ପାତ୍ର ଧରି ଆସୁଥିବାରୁ ତା ମା’ ଚିନ୍ତିତ ହୋଇପଡନ୍ତି। ବୋଧହୁଏ ପିଲାଟି ନିଜେ ସବୁ ଖିରି ଖାଇଦେଉଛି ଆଉ ଘରକୁ ଖାଲି ପାତ୍ର ଧରି ଫେରୁଛି ବୋଲି ଭାବନ୍ତି। ହେଲେ ବ୍ରାହ୍ମଣ ବାଳକଙ୍କ ଏକା ଜିଦ୍ ଠାକୁର ହିଁ ଖିରି ଖାଉଛନ୍ତି।
ଦିନ ପରେ ଦିନ ବିତିଲା। ତୀର୍ଥରୁ ଫେରିବା ପରେ ବ୍ରାହ୍ମଣ ଜଣକ ଏ କଥା ଶୁଣି ପୁଅ ମିଛ କହୁଛି ଭାବି ମାଡ ମାରିଲେ। ତଥାପି ପିଲାଟିର ଗୋଟିଏ କଥା। ମୋ ଅଲାରେ ଖିରି ଖାଆନ୍ତି।
ବ୍ରାହ୍ମଣ ଛୁଆଟିର କଥାର ସତ୍ୟତା ପରୀକ୍ଷା କରିବାକୁ ବାହାରିଲେ। ଆଉ ପୂର୍ବବତ୍ ପୁଅ ଭୋଗ ଲାଗାଇ ମନ୍ଦିର ଦ୍ୱାର ବନ୍ଦ କରି ଆସିବା ପରେ ବ୍ରାହ୍ମଣ ଜଣକ ଗର୍ଭଗୃହକୁ ଲୁଚି ଲୁଚି ପ୍ରବେଶ କଲେ।
ଗର୍ଭଗୃହର ଘନ ଅନ୍ଧାର ଭିତରେ କେହି ଜଣେ କଳା ପୁରୁଷ, ପ୍ରସାଦ ସବୁ ଖାଇ ଦେଉଛନ୍ତି। ଏ କଥା ଦେଖି ବ୍ରାହ୍ମଣ ଉକ୍ତ ବ୍ୟକ୍ତିଙ୍କ ହାତ ଧରି ପକାଇଲେ। ହେଲେ ଜାଣି ନ ଥିଲେ ସେ ସ୍ବୟଂ ମହାପ୍ରଭୁ। ଅନ୍ତଧ୍ୟାନ ହୋଇଗଲେ ପ୍ରଭୁ। କିନ୍ତୁ ଗରମ ଖିରୀ ହାତରେ ଥିବାରୁ ପ୍ରଭୁଙ୍କ ଓଠ ଆଉ ହାତ ପୋଡିଗଲା।
ପ୍ରକୃତିସ୍ଥ ହେଲେ ବ୍ରାହ୍ମଣ। ପ୍ରଭୁଙ୍କ ପାଦତଳେ ପଡି କ୍ଷମା ମାଗିଲେ। ଛୋଟିଆ ପିଲାଟିର ବନ୍ଧୁତାକୁ ଗ୍ରହଣ କରି ପ୍ରଭୁ ଖିରି ଖାଇବାକୁ ଆସୁଥିଲେ। ଏ କଥା ଚାରିଆଡେ ରାଷ୍ଟ୍ର ହେଲା।
ବ୍ରାହ୍ମଣ ବାଳକର ଜୟକାରରେ କମ୍ପିଲା ସମଗ୍ର ଅଞ୍ଚଳ। ଆଉ ଏହି ସ୍ମୃତିରେ ଆଜି ବି ଅଣସର ବେଳେ ଅଲାରନାଥଙ୍କ ପୀଠରେ ବଢାହୁଏ ଖିରି ପ୍ରସାଦ। ଦେଳକ ଭିତରକୁ ଗଲେ ବିଗ୍ରହଙ୍କ ମୁହଁ ଆଉ ଓଠରେ ଥିବା ପୋଡା ଚିହ୍ନ ଦେଖାଇ ଦିଅନ୍ତି ବ୍ରାହ୍ମଣ।
ସତରେ ଅନନ୍ୟ ଆମ ଜଗନ୍ନାଥ ସଂସ୍କୃତି ଆଉ ଅନନ୍ୟ ଆମ ପ୍ରଭୁଙ୍କ ଭକ୍ତାଧୀନ ଲୀଳା।
ମିହିର ପଟ୍ଟନାୟକ