ବିବାଦରେ କୁସୁମା ପୋଖରୀ ପୁନଃରୁଦ୍ଧାର। ପ୍ରକଳ୍ପର ପୁନଃରୁଦ୍ଧାର ପାଇଁ ଖର୍ଚ୍ଚ ହୋଇଛି କୋଟିକୋଟି ଟଙ୍କା। ଏହି ଖର୍ଚ୍ଚକୁ ନେଇ ଏବେ ସୃଷ୍ଟି ହୋଇଛି ବିବାଦ। ସୂଚନା ଅଧିକାର ଆଇନ ବଳରେ ସାମ୍ନାକୁ ଆସିଛି ସାଂଘାତିକ ତଥ୍ୟ । ଯାହାକୁ ନେଇ ବିବାଦ ଘେରରେ ଯାଜପୁରର କୁସୁମା ପ୍ରକଳ୍ପ । 13 କୋଟି ଟଙ୍କାର ବ୍ୟୟକୁ ନେଇ ଏବେ ଚର୍ଚ୍ଚାରେ କୁସୁମା ପୋଖରୀ । ଯାଜପୁର ଟାଉନର ସହର ମଧ୍ୟ ଭାଗରେ ପ୍ରାୟ 27ଏକର ପରିମିତ ଜାଗାରେ ଅବସ୍ଥିତ ଏହି ପୋଖରୀର ପୁନଃଉଦ୍ଧାର ଖର୍ଚ୍ଚ ହୋଇଛି ପ୍ରାୟ 12କୋଟି 90 ଲକ୍ଷ ଟଙ୍କା । ବିନା କୌଣସି ଫଳକ, ଏବଂ ସାଧାରଣରେ ପ୍ରକାଶ ନକରି ହୋଇଛି କାର୍ଯ୍ୟ । ଏହି ପ୍ରକଳ୍ପରେ ଗୃହ ଓ ନଗର ଉନ୍ନୟନ ବିଭାଗ ଭିନ୍ନଭିନ୍ନ ଯୋଜନାରୁ କୋଟିକୋଟି ଟଙ୍କା ବ୍ୟୟ କରିଛନ୍ତି। ଏପରିକି ସର୍ବସାଧାରଣ ଶୌଚାଳୟ ସ୍କିମରୁ ମଧ୍ୟ 21ଲକ୍ଷ 85 ହଜାର ଟଙ୍କା କୁସୁମା ସୌନ୍ଦର୍ଯ୍ୟୀକରଣରେ ଉତ୍ସର୍ଗ କରାଯାଇଥିବା ଅଭିଯୋଗ । ଯାହାକୁ ନେଇ ବିଭିନ୍ନ ମହଲରେ ଉଠିଛି ପ୍ରଶ୍ନ । ତେବେ ତଥ୍ୟରେ ଦର୍ଶଯାଇଥିବା ବ୍ୟୟ ଠାରୁ ଅଧିକ ଖର୍ଚ୍ଚ ହୋଇଥିବା ଚର୍ଚ୍ଚା ହେଉଛି ।
ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ 4କୋଟି 85ଲକ୍ଷ 37ହଜାର ଟଙ୍କା, ଇଡକୋ 4 କୋଟି 99ଲକ୍ଷ 61ହଜାର ଟଙ୍କା, 14ତମ ଅର୍ଥ କମିଶନ ଅନୁଦାନରୁ 1କୋଟି 1ଲକ୍ଷ 72 ହଜାର ଟଙ୍କା, ପର୍ଯ୍ୟଟନ ବିଭାଗ ପକ୍ଷରୁ 1କୋଟି 50ଲକ୍ଷ ଟଙ୍କା, ନଗର ଉନ୍ନୟନ ବିଭାଗ ପକ୍ଷରୁ ଟ୍ରାନସଫର୍ମର ପାଇଁ 31 ଲକ୍ଷ 71ହଜାର ଟଙ୍କା ବ୍ୟୟ ହୋଇଥିବା ଯାଜପୁର ପୌର ନିର୍ବାହୀ ଅଧିକାରୀ ଆରଟିଆଇ ତଥ୍ୟ ଦେଇଛନ୍ତି। ଯେଉଁ ଯାଜପୁର ମୁଖ୍ୟ ଚିକିତ୍ସାଳୟରେ ଡାକ୍ତର ନାହାନ୍ତି ଆବଶ୍ୟକୀୟ ଯନ୍ତ୍ରାଂଶ ନାହିଁ, ଯେଉଁ ଜିଲ୍ଲାରେ ନଗଡା ଭଳି ଅପପୁଷ୍ଠିର ଗାଁ ଏବେ ବି ବିକାଶ ଠାରୁ ବହୁ ଦୂରରେ । ସେଠାରେ ସରକାର କାହା ସ୍ଵାର୍ଥରେ ଅନୁକମ୍ପା ଦେଖାଇ କୋଟି କୋଟି ଟଙ୍କା ବିନିଯୋଗ କରିଛନ୍ତି ବୋଲି ପ୍ରଶ୍ନ କରିଛନ୍ତି ସ୍ଥାନୀୟ ଅଞ୍ଚଳବାସୀ ? ତେବେ ସୂଚନା ଅଧିକାର ବଳରେ ମିଳିଥିବା ତଥ୍ୟକୁ ନେଇ ଜିଲ୍ଲାପାଳ କହିଛନ୍ତି ଏହି କାର୍ଯ୍ୟ ଏରିଆ ଡେଭଲପମେଣ୍ଟ ସ୍କିମରେ ହୋଇଥିଲା ଏବଂ ଜିଲ୍ଲାର ଅନ୍ୟ କାର୍ଯ୍ୟ ମଧ୍ୟ ସଠିକ ଢଙ୍ଗରେ କରାଯାଉଛି। ତେବେ ସୂଚନା ଅଧିକାର ଆଇନ ବଳରେ ମିଳିଥିବା ତଥ୍ୟ ଏବଂ ବିନିଯୋଗ ହୋଇଥିବା ଅର୍ଥରାଶିର ଆକଳନ ସାର୍ବଜନୀନ କେବେ କରାଯିବ? ତାହା ଉପରେ ରହିଛି ଜିଲ୍ଲାବାସଙ୍କ ନଜର।