ପବିତ୍ର ଅଶୋକାଷ୍ଟମୀ ତିଥିରେ ଏହି ରଥଯାତ୍ରା ସମସ୍ତ ରୀତିନୀତି ସହିତ ସମ୍ପନ୍ନ ହୋଇଛି। ସକାଳୁ ପହଡ଼ ଫିଟା ଠାରୁ ଆରମ୍ଭ କରି କଳସ ଯାତ୍ରା, ତିନି ଧୂପ ପାଞ୍ଚ ଅବକାଶ ନୀତି ସମ୍ପନ୍ନ ହେବାପରେ ଠାକୁର ଅଶୋକ କୁଣ୍ଡରେ ସ୍ନାନ କରି ମନ୍ଦିର ପ୍ରବେଶ କରିଥାନ୍ତି। ମନ୍ଦିର ମଧ୍ୟରେ ସମସ୍ତ ନୀତିକାନ୍ତ ଏବଂ ଅଭିଷେକ ପରେ ରୁକୁଣା ରଥରେ ବିଜେ କରନ୍ତି। ସନ୍ଧ୍ୟାରେ ଏକ ଭବ୍ୟ ଶୋଭାଯାତ୍ରା ରେ ଗ୍ରାମବାସୀମାନେ ଆସି ଗ୍ରାମ ମୁରଵି ଭାଗିରଥି କରଙ୍କ ଘରକୁ ଯାଇ ସେଠାରେ ତାଙ୍କୁ ନିମନ୍ତ୍ରଣ କରିବା ସହିତ ଗୋଟିଏ ଦିନର ରାଜା ଭାବେ ଅଭିଷେକ କରାଇ ବିରାଟ ଶୋଭାଯାତ୍ରାରେ ବାଣ ଫୁଟାଇ ଗ୍ରାମ ପରିକ୍ରମା କରାଇଥାନ୍ତି। ପରେ ତାଙ୍କରି ଦ୍ବାରା ରଥ ଉପରେ ଛେରାପହଁରା ନୀତି ସମ୍ପନ୍ନ ହେବାପରେ ରଥଟଣା ହୋଇ ଠାକୁର ମାଉସୀ ଘରକୁ ଯାଇଥାନ୍ତି। ସେଠାରେ ସ୍ବତନ୍ତ୍ର ମାଣ୍ଡୁଅ ଭୋଗ ଲାଗି ହେବା ପରେ ବିମାନରେ ଠାକୁର ଆସି ଯାତ୍ରା ପଡ଼ିଆରେ ପହଞ୍ଚି ଥାନ୍ତି।
ପାଖାପାଖି ଦୁଇ ଶହ ବର୍ଷର ଏହି ଅନନ୍ୟ ପରମ୍ପରା ଓଡ଼ିଶାର ଅନ୍ୟ କୌଣସି ଜାଗାରେ ଦେଖିବାକୁ ମିଳେ ନାହିଁ। ବଂଶାନୁକ୍ରମେ ଏହି ଗ୍ରାମର ମୁରଵୀ ଭାବରେ ଭାଗିରଥି କର ,ରଥ ଉପରେ ଛେରାପହଁରା ନୀତି କରି ଆସୁଛନ୍ତି। ବିଶ୍ଵାସ ରହିଛି ଏହି ଅଶୋକାଷ୍ଟମୀ ତିଥିରେ ଅଶୋକ କୁଣ୍ଡରେ ସ୍ନାନ କଲେ ସମସ୍ତ ରୋଗ ଶୋକ ଦୂର ହେବା ସହିତ ବନ୍ଧ୍ୟା ଦୋଷରୁ ମୁକ୍ତି ମିଳିଥାଏ।
ଅଧିକ ଖବର ପଢ଼ନ୍ତୁ: ଆପଣ ଜାଣନ୍ତି କି, ମହାପ୍ରଭୁ ଲିଙ୍ଗରାଜଙ୍କ ରଥର ନାଁ ଦେବଦଳନ ଓ ରୁକୁଣା କ’ଣ ପାଇଁ ?
ଏହି ଜମ୍ବେଶ୍ବର ମହାଦେବଙ୍କ ପାଖରେ ଯିଏ ମାନସିକ କରେ ତାହା ପୂର୍ଣ୍ଣ ହୋଇଥାଏ ବୋଲି ଯେଉଁ ବିଶ୍ବାସ ରହିଛି ସେଥିପାଇଁ ହଜାର ହଜାର ଶ୍ରଦ୍ଧାଳୁମାନେ ଏହି ଯାତ୍ରାରେ ରଥ ଟାଣିଥାନ୍ତି।