ବ୍ରହ୍ମପୁର ମହାନଗର ନିଗମ ବା BMC ପକ୍ଷରୁ ୪ ଓ ୫ ଡିସେମ୍ବର ପ୍ରବଳରୁ ଅତି ପ୍ରବଳ ବର୍ଷା ପାଇଁ ଆଲର୍ଟ ଜାରି ହୋଇଛି । ଫଳରେ ପ୍ରସ୍ତୁତି ଆରମ୍ଭ କରିଛି ପ୍ରଶାସନ । ୱାର୍ଡ ସ୍ତରୀୟ କମିଟି ଗଠନ କରାଯାଇଛି । ଯେଉଁଥିରେ ପ୍ରତ୍ୟେକ ୱାର୍ଡରେ ୩ ଜଣ ଲେଖାଏଁ ସଦସ୍ୟ ରହିଛନ୍ତି ।
ମୋଟ ୪୦ଟି ୱାର୍ଡ ପାଇଁ ୧୨୦ଜଣ ଅଧିକାରୀଙ୍କୁ ନିୟୋଜିତ କରାଯାଇଛି । ସମ୍ପୃକ୍ତ ୱାର୍ଡର ଅସୁରକ୍ଷିତ ସ୍ଥାନରୁ ଲୋକଙ୍କୁ ସ୍ଥାନାନ୍ତର ପାଇଁ ୨୧ ଟି ପୁନର୍ବାସ କେନ୍ଦ୍ର ଚିହ୍ନଟ କରାଯାଇଛି । ସମସ୍ତ ଜେଇ ଏବଂ ଏଇମାନଙ୍କୁ ନିଜ ନିଜ ୱାର୍ଡରେ ୱାଟର ଲଗିଙ୍ଗ ପରିଷ୍କାର କରିବା ପାଇଁ JCB, ଶ୍ରମିକ ନିୟୋଜିତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।
୨ଟି ମୋବାଇଲ ଟିମ ମଧ୍ୟ ନିୟୋଜିତ କରାଯାଇଛି । ଜରୁରୀକାଳୀନ ପରିମଳ ସମସ୍ୟା, ଜଳ ଲଗିଂ ପଏଣ୍ଟରେ ଯୋଗଦେବା ପାଇଁ ପ୍ରତ୍ୟେକ ସାନିଟାରୀ ଇନ୍ସପେକ୍ଟରଙ୍କ ତତ୍ୱାବଧାନରେ ୯ଟି ଜରୁରୀକାଳୀନ ପରିମଳ ୟୁନିଟ୍ ରହିଛି । ଆବଶ୍ୟକ ପଡିଲେ ରନ୍ଧା ଖାଦ୍ୟ ଥଇଥାନ କେନ୍ଦ୍ରରେ ବଣ୍ଟନ କରାଯିବ ବୋଲି କୁହାଯାଇଛି ।
ସେହିଭଳି ପ୍ରଭାବିତ ଲୋକଙ୍କୁ ବଣ୍ଟନ ପାଇଁ ଶୁଖିଲା ରାସନ ପ୍ୟାକେଟଗୁଡ଼ିକର ବ୍ୟବସ୍ଥା କରାଯିବ। ଗଞ୍ଜାମ ଜିଲ୍ଲାର ବାତ୍ୟା ବିପନ୍ନଙ୍କ ପାଇଁ ହେଲ୍ପ ଲାଇନ୍ ନଂ.( 7326837329) ଜାରି ହୋଇଛି।