ହେଲେ ଆମ ମଣିଷମାନଙ୍କ ଭିତରେ ସବୁଠାରୁ ଭଲ ପ୍ରଜାତୀର ମଣିଷ ହେଉଛନ୍ତି ଚାଷୀକୂଳ। ଯାହ ସକାଶେ ଆମ ପେଟକୁ ଅନ୍ନ ଯାଏ। ସିଏ କିନ୍ତୁ ସୁଖରେ ଶୋଇପାରିନି ଦୀର୍ଘ ୪ ଦିନ ହେଲାଣି । ଯିଏ ଯେବେଠୁ ବାତ୍ୟା ହେବ ବୋଲି ସୂଚନା ପାଇଲାଣି ସେବେଠୁ ମୁଣ୍ଡରେ ହାତ ଦେଇ ବସିଛି । ବାତ୍ୟା ପବନ ବହିବା ଦିନଠୁ ନିଜ ଚାଷ, ଜମି, ବର୍ଷକର ଫସଲକୁ ନେଇ ଚିନ୍ତାରେ ଚାଷୀକୂଳ ।
ଫସଲକୁ ସୁରକ୍ଷା ଦେବାକୁ ବିଲ ପାଣିରେ ଜଡସଡ ହେଉଛି ଚାଷୀ । ଫସଲ କେମିତି କାଟିବ, କେଉଁଠି ରଖିବ, ସେ ଚିନ୍ତାରେ ଦିନ ରାତି ବିତୁଛି । ଏବେ ବାତ୍ୟା ବିପଦ ଟଳିଛି । ଯାହାକୁ ନେଇ ଲୋକମାନେ ଆଶ୍ୱସ୍ତ ହେଲେଣି। ହେଲେ ବି ଲଗାଣ ବର୍ଷା ଜାରି ରହିଛି । ଗତକାଲିଠୁ ରାଜ୍ୟ ସାରା ଝିପି ଝିପି ବର୍ଷା ଲାଗି ରହିଛି । ଆଜି ଅପେକ୍ଷାକୃତ ଅଧିକ ବର୍ଷା ହେଉଛି ।
ସକାଳୁ ପାଗ ମେଘୁଆ କରି ରଖିଛି । ଘରୁ ବାହାରିବାକୁ ଲୋକଙ୍କୁ ଦୁଇ ଥର ଭାବିବାକୁ ପଡୁଛି । ଘରେ ବସି କିଏ ମଟନ କସା ଖାଉଛି ତ ଆଉ କିଏ ବର୍ଷା ଛୁଟିର ମଜା ନେଉଛି । ଝରକା କଣରୁ ବର୍ଷାକୁ ନିଜ କ୍ୟାମେରା ଲେନ୍ସରେ କଏଦ କରି ଲୋକେ ଷ୍ଟାଟସ୍ ଦେବାରେ ବ୍ୟସ୍ଥ। ଆଉ ସ୍ବଚ୍ଛଳ ଲୋକଙ୍କ ଘରେ ଏବେ ଗରମ ପକୁଡି ବର୍ଷାପାଗକୁ ମତୁଆଲା କରୁଛି।
କିନ୍ତୁ ଥରେ ଚିନ୍ତା କରନ୍ତୁ ସେଇ ଚାଷୀର କଥା। ଯାହାର ବର୍ଷକର ପରିଶ୍ରମ ଉପରେ ଏବେ କଳା ହାଣ୍ଡିଆ ମେଘର ଭୟ। ସିଏ ଘରେ କ’ଣ କରୁଥିବ ଥରେ ଭାବନ୍ତୁ । ଦଲକାଏ ପବନରେ ତା ଛାତିବି କୋରି ହେଉଥିବ, ବିଲରେ ପାଚିଲା ଧାନ କେଣ୍ଡାକ ଭୁଇଁରେ ଲୋଟି ପଡିଲେ ତା ସଂସାର ସରିଯିବ।
ଏଇ ଗୋଟେ ଚାଷୀ ଆଉ ଆମ ତମ ଭଳି ସାଧାରଣ ମଣିଷଙ୍କ ଭିତରର ପାର୍ଥକ୍ୟ।
ଜଣେ ଚାଷୀର ଜୀବନ ଅନ୍ୟମାନଙ୍କଠାରୁ ଭିନ୍ନ । ବାତ୍ୟା ପୂର୍ବରୁ ସେ ଯେତିକି ଚିନ୍ତିତ ଥିଲା ଏବେ ବି ସେ ସେତିକି ଚିନ୍ତାରେ। ଲଗାଣବର୍ଷାରେ ବିଲରେ ଜଳସ୍ତର ବଢି ବଢି ଚାଲିଛି । ଧାନ ଗଛ ଗୁଡିକ ଅଣ୍ଟା ଭାଙ୍ଗି ପାଣିରେ ମୁହଁ ମାଡି ପଡିବାକୁ ପ୍ରସ୍ତୁତ ହେଲେଣି। ବର୍ଷା ଯୋଗୁଁ ଅଧିକ ହୀନସ୍ତା ହେଉଛନ୍ତି ଚାଷୀ । ଚାଷୀର ବର୍ଷକର ପରିଶ୍ରମ ଏ ବର୍ଷା ପାଣିରେ ବୁଡ଼ି ଯିବନି ତ !
ଇଶ୍ବର କରନ୍ତୁ ପାଗ ଅନୁକୂଳ ହେଇଯାଉ। ଏସି ରୁମରେ ବସି ବର୍ଷାର ମଉଜ କରୁଥିବା ଲୋକଙ୍କ ଷ୍ଟାଟସ୍ ପଛେ ମିସ୍ ହଉ ଚାଷୀ ଭାଇ ମୁହଁରେ ହସ ଥାଉ। କାରଣ ଆମ ଅପଡେଟେଡ୍ ଷ୍ଟାଟସ୍ ଅପେକ୍ଷା ତା ବୁନ୍ଦାଏ ଝାଳ ବେସ୍ ମୂଲ୍ୟବାନ୍।