ବାତ୍ୟା ନ ହେବାର ଖୁସିରେ ଆତ୍ମବିଭୋର ଥାଆନ୍ତି ଗୋଟେ ଝାଟି ମାଟି ଘରେ ରହୁଥିବା ଜେଜେମା ନାତୀ-ନାତୁଣୀ ହଳକ।
ଏଥଣ ଥୁରୁଥୁରୁ ମୁହଁରେ ବୁଢୀ ଉତ୍ତର ଦେଲା।
ଯୁଆଦ୍(ଜଓ୍ବାଦ) ଚାଲିଗଲା ! ଆରେ ନାତୀ ଟୋକା ସତରେ ବାତ୍ୟା ହବନି!
ମୁଁ ଜାଣିଥିଲି ପରା କାଳିଆ ଠାକୁର ଆମ ଗରିବ ଗୁରୁବାଙ୍କ ଡାକ ଶୁଣିବ। ଯେତେ ବଡ ବିପଦ ଆସୁ ପଛକେ ସିଏ ଥିଲେ ସବୁ କୁଆଡେ ପଳେଇବ। ହେଲେ ସକାଳ ସକାଳୁ ଏ କାଳ ବରଷାଟା ଲାଗି ରହିଛି ଯେ, ଦେହ ହାତ ଥରି ଯାଉଛି। ଭାରି ଶୀତ ଲାଗୁଛିରେ ନାତିଆ।
‘ବୟଷ ମୋର ଗଲାଣି। ଆଉ ଶୀତ କାକର କାହୁଁ ସହିବି କହିଲୁ। ଘରେ ଥିବା କତରାଟା ପାଣି ଛିଟିକା ଖାଇ ଓଦା ହେଇ ଯାଇଛି ଯେ, ଦିହ ଆଉ ପାରୁନି।’
ଏ କଥା ଶୁଣି ଦୁଇ ନାତୀ-ନାତୁଣୀ ମନସ୍ଥ କଲେ, ବର୍ଷା ଟିକେ ଥମି ଗଲେ ସୁଖିଲା କାଠ ଆଣି ବୁଢୀ ମାକୁ ନିଆଁ ପୁଆଁଇବେ। ଦୁଇ ନାତି/ନାତୁଣୀଙ୍କୁ ନେଇ ଏ ବୁଢୀ ମାଉସୀର ସଂସାର ପରା। ଏ ଦି ହଳକ ବୁଢୀର ଦି ଆଖି।
ବର୍ଷା କମିଗଲା ପରେ ଦୁଇ ଜଣ ବାହାରି ଗଲେ ଦୁଇ ଚାରିଖଣ୍ଡ ସୁଖିଲା କାଠ ଆଣିବା ପାଇଁ। ଜଗନ୍ନାଥଙ୍କ କୃପାରୁ ଦୁଇ ନାତୀକୁ ସୁଖିଲା କାଠ ମିଳିଗଲା। ସାଙ୍ଗେ ସାଙ୍ଗେ କାଠ ଆଣି କାଠରେ ନିଆଁ ଲଗାଇ ବୁଢୀ ନିଆଁ ପୋଉଁଥାଏ।
ମନରେ ଥାଏ ସେଇ କତିରା ଖଣ୍ଡକ କଥା। ମନେ ମନେ ଜଗନ୍ନାଥଙ୍କୁ ସୁମରୀ ବୁଢୀ ଭାଗ୍ୟ ଆଦରି ନିଆଁକୁ ହାତ ନେଲା। ଉସୁମ ନିଆଁରେ ତା ଧୁଡୁଧୁଡିଆ ଚମକୁ ସେକିବାକୁ ଲାଗିଲା। ନାତୀ ନାତୁଣୀ ଦୁଇଟା ବି ପାଖରେ ବସି ନିଆଁକୁ କାଠି କୁଟା ଫିଙ୍ଗୁଥାନ୍ତି।
ଏତିକି ବେଳେ ସେପଟୁ ୩ ଜଣ କିଏ ଆସିଲେ। କଳା, ଗୋରା ଦି ଭାଇଙ୍କ ସହ ସୁନାନାକି ଝିଅଟିଏ। ସମ୍ଭବତଃ ଏ ତିନିହେଁ ଭାଇ ଭଉଣୀ। ବୁଢୀକୁ ଦେଖି ସେ କାଳିଆ ଲୋକଟ କମ୍ବଳ ଘୋଡେଇ ଦେଇ ଗଲା। କହିଲା, ଆଲୋ ମାଉସୀ ତୋ କତରା ପରା ଓଦା ହେଇ ଯାଇଛି, ଏଇ ନେ ଏଇଟା ଘୋଡିହେଇ ରାତିରେ ଶୋଇବୁ। ପାଖରେ ଥିବା ହଳଦୀମୁହିଁ ଝିଅଟା ଖାଦ୍ୟ ପୁଡିଆ ବଢେଇଦେଲା ବୁଢୀ ହାତକୁ। ଆଉ ମୁରବୀ ପଣିଆ ଦେଖାଇ ସେ ଗୋରା ପେଟା ଲୋକ ଜଣକ କହିଲେ, ଯା ଲୋ ମାଉସୀ ଯା, ତୋ ଘର ପାଖାପାଖି ଆମେ ରହୁଛୁ। ବ୍ୟସ୍ତ ହବୁନି, ତୋ ସଂସାର କଥା ଆମେ ବୁଝିବୁ।
ଟିକେ ଦୀର୍ଘ ନିଶ୍ୱାସ ଛାଡି ବୁଢୀ ମାଉସୀ କହିଲା, ଯେତେ ବାଆ ବତାଶ ଆସୁଛି ଆସୁ ଆମର କାଳିଆ ଅଛି ପରା। ଏତିକି କହି ନିଆଁରୁ ମୁହଁ ଉଠେଇ ସେ ମଣିଷ ତିନିଟାଙ୍କୁ ଦେଖିବାକୁ ବୁଢୀ ଉପରକୁ ଅନେଇଲା। କାହିଁ କେହି କୁଆଡେ ନ ଥିଲେ। କିନ୍ତୁ ବୁଢୀ କାନ୍ଧରେ ଲୋଟିଥିଲା କମ୍ବଳ ଗୋଟାକ। ମହମହ ବାସ୍ନାରେ କମ୍ପୁଥିବା ଚାରିଆଡ।
ନାତୀ ଟୋକାକୁ ବୁଢି ପଚାରିଲା, ଆରେ ଧନ ସେମାନେ କୁଆଡେ ଗଲେ କି ?
ନାତୀ ନାତୁଣୀ ଦି ଟା କିଛି ବୁଝି ପାରିଲେନି। କାହିଁ, ଏଠିକି କେହି ଆସି ନାହାନ୍ତି ତ !
ବୁଢି କମ୍ବଳକୁ ଦେଖୁଥାଏ ଆଉ କାନ୍ଦୁଥାଏ…।