ଶ୍ରୀ ମିଶ୍ର ଟ୍ୱିଟ୍ କରିଛନ୍ତି ଯେ ଆଜି ପଦ୍ମପୁର ନିର୍ବାଚନର ଫଳାଫଳକୁ ଆମେ ନମ୍ରତାର ସହ ଗ୍ରହଣ କରୁଛୁ । ଗଣତନ୍ତ୍ରରେ ଜନତାଙ୍କ ମତ ସର୍ବାଗ୍ରେ । କିନ୍ତୁ ମୁଖ୍ୟମନ୍ତ୍ରୀ ଯେଉଁଭଳି ଭାବେ ଆଜି ଚତୁରତାର ସହ ଭିଡିଓ ବାର୍ତ୍ତା ମାଧ୍ୟମରେ ଏକ ରାଜନୈତିକ ବୟାନ ଦେଇଛନ୍ତି, ଏହାକୁ ମୁଁ ନିନ୍ଦା କରୁଛି । 22 ବର୍ଷ ଲମ୍ବା ସମୟ ଶାସନରେ ରହିବା ପରେ ମଧ୍ୟ ସେ ଲୋକଙ୍କ ଆସ୍ଥାଭାଜନ ହେବାରେ ସକ୍ଷମ ହୋଇ ପାରିନାହାନ୍ତି । ଆପଣ ଦାୟିତ୍ୱକୁ ସଠିକ୍ ରୂପେ ନିର୍ବାହ ନକରି ରାଜ୍ୟବାସୀଙ୍କୁ ଭ୍ରମିତ କରୁଛନ୍ତି ।
ବିଜେପି, ମହିଳା ବିରୋଧୀ ବୋଲି ମୁଖ୍ୟମନ୍ତ୍ରୀ ଯେଉଁ ଆଖ୍ୟା ଦେଇଛନ୍ତି ତାହା ଯଦି ସତ ହୋଇଥାନ୍ତା ତେବେ ଆଜି ନରେନ୍ଦ୍ର ମୋଦି ନିଜକୁ ଦେଶର ପ୍ରଧାନ ସେବକ ଭାବେ ପ୍ରତିଷ୍ଠିତ କରିପାରିନଥାନ୍ତେ । ଧାମନଗର ଉପନିର୍ବାଚନରେ ବିଜେପିକୁ ଧାମନଗରବାସୀ ଜିତାଇ ନଥାନ୍ତେ । ଯଦି ମାଆ ଭଉଣୀଙ୍କ ପାଇଁ ବିଜେପି ପ୍ରତି ସମ୍ମାନ ନଥାନ୍ତା ତେବେ ପଦ୍ମପୁରରେ 78,000ରୁ ଉର୍ଦ୍ଧ୍ୱ ଭୋଟର ଭାଇ ଭଉଣୀ ମାନେ ଦଳକୁ ସମର୍ଥନ କରିନଥାନ୍ତେ । ମୁଖ୍ୟମନ୍ତ୍ରୀ ଓ ତାଙ୍କ ଦଳ ମହିଳାଙ୍କୁ କେତେ ସମ୍ମାନ ଦିଅନ୍ତି, ତାହା ପରୀ, ମମିତା, ବେବିନା, ଇତିଶ୍ରୀ, କୁନ୍ଦୁଲି ଭଳି ଘଟଣାରୁ ସ୍ପଷ୍ଟ ଅନୁମେୟ । ରାଜରାସ୍ତାରେ ଅଙ୍ଗନବାଡି ଓ ଆଶା ଭଉଣୀମାନେ ପିଲା ଛୁଆ ଓ ପରିବାରକୁ ଛାଡି ଦିନ ଦିନ ଧରି ଧାରଣାରେ ବସୁଛନ୍ତି, ଯାହା ମୁଖ୍ୟମନ୍ତ୍ରୀଙ୍କ କେବେ କଷ୍ଟ ଦିଏନି କିନ୍ତୁ ସେଥିରୁ ରାଜନୈତିକ ଫାଇଦା ନେବା ପାଇଁ ସବୁବେଳେ ଚେଷ୍ଟା କରିଛନ୍ତି ।
4 ଜଣ କେନ୍ଦ୍ରମନ୍ତ୍ରୀ ଉଠାଇଥିବା ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ସ୍ପଷ୍ଟ ଉତ୍ତର ନ ଦେଇ ଏକ ପ୍ରହେଳିକା ତିଆରି କରନ୍ତି, ଯାହା ମୁଖ୍ୟମନ୍ତ୍ରୀଙ୍କ ପୁରୁଣା ଅଭ୍ୟାସ । ଆପଣ ଉତ୍ତର ରଖିବେ କି ? ରେଳ ଲାଇନ ପାଇଁ ଜମି ଦେଇଛନ୍ତି କି ? କେନ୍ଦ୍ରପତ୍ରର ଜିଏସଟିର ଅଧା 9 % ଆପଣ ନେଉଛନ୍ତି କି ନାହିଁ ? ଫସଲ ବୀମାରେ ଘରୋଇ ବ୍ୟାଙ୍କ ଏଚଡିଏଫସିକୁ ଆପଣ ସାମିଲ କରିଥିଲେ କି ନାହିଁ ? ମୁଖ୍ୟମନ୍ତ୍ରୀ ବରଗଡ ସୋହେଲାରେ ଚାଷୀଙ୍କ ପାଇଁ ଘୋଷଣା କରିଥିବା 100 ଟଙ୍କା ବୋନସ ଦେଇଛନ୍ତି କି ? ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ 1 ହଜାର କୋଟି ଟଙ୍କାରୁ ଅଧିକ ଦୁର୍ନୀତି ରାଜ୍ୟ ସରକାରଙ୍କ ସମ୍ପୃକ୍ତି ଅଛି କି ନାହିଁ ? ବରଗଡ଼ ସମେତ ପଶ୍ଚିମ ଓଡ଼ିଶାକୁ ଆବାସ ଯୋଜନାରେ ଘର ବଣ୍ଟନରେ ପାତରଅନ୍ତର କରିଛନ୍ତି କି ନାହିଁ ? ରାଜ୍ୟ ଗୃହ ବିଭାଗ ଦେଇଥିବା ସେପ୍ଟେମ୍ବର 2022ର ତଥ୍ୟ ଅନୁସାରେ ଓଡ଼ିଶାରେ 2169ଟି ଧର୍ଷଣରେ ମାମଲା ରୁଜୁ ହୋଇଛି, 1138 ହତ୍ୟା, 3926 ଯୌତୁକ ନିର୍ଯ୍ୟାତନା, 4072 ଘରୋଇ ହିଂସା ମାମଲା ରୁଜୁ ହୋଇଛି ବୋଲି ଶ୍ରୀ ମିଶ୍ର କହିଛନ୍ତି ।
ଶାସକ ଦଳର ଦଳର ନେତା ଓ ମନ୍ତ୍ରୀମାନେ ଯେଉଁ ଯେଉଁ ଘଟଣାରେ ସମ୍ପୃକ୍ତ ଅଛନ୍ତି, ତାହା ମୁଖ୍ୟମନ୍ତ୍ରୀଙ୍କୁ ଭଲ ଭାବରେ ଜଣା । ଏହି ସବୁ ଘଟଣା ରାଜ୍ୟକୁ ରାଜ୍ୟକୁ ଲଜ୍ଜିତ କରିଛି । ମୁଁ ବି ନମ୍ରତାର ସହ କହୁଛି, ମୋଦି ସରକାରଙ୍କ ମାଆ ଭଉଣୀ ମାନଙ୍କ ପ୍ରତି ଯେଉଁ ସମ୍ମାନ ଅଛି, ତାହା ଦେଶବାସୀ ଅନୁଭବ କରୁଛନ୍ତି ।
ନିର୍ବାଚନରେ ଜିତିବା ହାରିବା ଏକ ନିରନ୍ତର ପ୍ରକ୍ରିୟା । କିନ୍ତୁ ମୁଖ୍ୟମନ୍ତ୍ରୀ ପ୍ରତ୍ୟେକ ବିଷୟରେ ରାଜନୈତିକ ଫାଇଦା ଦେଖି ଯୋଜନା ପ୍ରଣୟନ କରନ୍ତି । ବିଜେପି ବିକାଶରେ ବିଶ୍ୱାସ କରେ, ଯାହା ମୁଖ୍ୟମନ୍ତ୍ରୀଙ୍କୁ ଭଲ ଭାବରେ ଜଣା । ପ୍ରଧାନମନ୍ତ୍ରୀଙ୍କ ସ୍ପଷ୍ଟ ବିଚାର ଅଛି, ସବକା ସାଥ୍, ସବକା ବିକାଶ, ସବକା ବିଶ୍ୱାସ ଓ ସବକା ପ୍ରୟାସ । ଏହି ବିଚାରକୁ ଆପଣ ପାଳନ କଲେ ଓଡ଼ିଶାର ସର୍ବାଙ୍ଗୀନ ବିକାଶ ହୋଇପାରିବ ବୋଲି ବିରୋଧୀ ଦଳ ନେତା ମତପ୍ରକାଶ କରିଛନ୍ତି ।