ଅସ୍ବାସ୍ଥ୍ୟକର ପରିବେଶରେ ରହି ଅନ୍ତେବାସୀ ଅଣନିଶ୍ବାସୀ ହୋଇ ପଡୁଥିବା ବେଳେ ଡେଙ୍ଗୁ, ମ୍ୟାଲେରିଆ ବ୍ୟାପିବା ଆଶଙ୍କାକୁ ଏଡ଼ାଇ ହେଉନି।ଉଚ୍ଚଶିକ୍ଷା ଆଶାରେ କୋରାପୁଟ, ରାୟଗଡ଼ା, ମାଲକାନଗିରି, ନବରଙ୍ଗପୁର ଜିଲ୍ଲାର ବିଦ୍ୟାର୍ଥୀ ବିକ୍ରମଦେବ ବିଶ୍ବବିଦ୍ୟାଳୟ ଉପରେ ନିର୍ଭର କରୁଛନ୍ତି। ନାମ ଲେଖାଇବା ପରେ ହଷ୍ଟେଲ୍ ପାଇଁ ଆବେଦନ କରିଥାନ୍ତି। ଜୟପୁର ମେଇନ୍ ରୋଡ୍ (ପୁରୁଣା ହସପିଟାଲ୍ ପାର୍ଶ୍ବ) ରେ ରହିଛି ବିଶ୍ବବିଦ୍ୟାଳୟ ଛାତ୍ରାବାସ। କମ୍ ସଂଖ୍ୟକ ପ୍ରକୋଷ୍ଠ, ବେଡ୍ କାରଣରୁ ସମସ୍ତ ଆବେଦନକାରୀଙ୍କୁ ହଷ୍ଟେଲ୍ ସୁବିଧା ମିଳିନଥାଏ। ଆଉ ଯେଉଁ କିଛି ଛାତ୍ରଙ୍କୁ ମିଳୁଛି ସେମାନେ ପରିତ୍ୟକ୍ତ ଅବସ୍ଥାରେ ଥିବା ଛାତ୍ରାବାସରେ ରହିବାକୁ ବାଧ୍ୟ ହେଉଛନ୍ତି ।
ଛାତ୍ରବାସରେ ୨୭ଟି ପ୍ରକୋଷ୍ଠ ଥିବା ବେଳେ ୪ଟି ପ୍ରକୋଷ୍ଠ ସମ୍ପୂର୍ଣ୍ଣ ଭାଙ୍ଗି ଯାଇଛି। ବାକି ୩ଟିରେ ମେସ୍, କମନ୍ ରୁମ୍ ଓ ଅଫିସ୍ ଚାଲିଛି । ବଳକା ୨୦ଟି ରୁମରେ ରହୁଛନ୍ତି ଅନ୍ତେବାସୀ । ଛାତ୍ରାବାସ ଉପର ଛାତ ଟିଣରେ ତିଆରି ହୋଇଥିବାରୁ ସବୁ ନଷ୍ଟ ହୋଇଗଲାଣି । ଅସରାଏ ବର୍ଷା ହେଲେ ଟିଣରୁ ପାଣି ଗଳୁଥିବାରୁ ରୁମରେ ଆଣ୍ଠୁଏ ପାଣି ଜମୁଛି । ସେହିପରି ପ୍ରକୋଷ୍ଠ କାନ୍ଥ ଗୁଡ଼ିକର ଅବସ୍ଥା ମଧ୍ୟ ଭଲ ନାହିଁ । ବହୁ ବର୍ଷ ହେବ କାନ୍ଥରେ ଚୁନ୍ ଲାଗିନଥିବାରୁ ସନ୍ତସନ୍ତିଆ ପରିବେଶରେ ରହୁଛନ୍ତି ଅନ୍ତେବାସୀ । ବହୁ ରୁମର କବାଟ, ଝରକା ଭାଙ୍ଗି ଯାଇଥିବାରୁ କାର୍ଟୁନ୍ ଲଗାଇ କାମ ଚଳାଉଛନ୍ତି ଅନ୍ତେବାସୀ । ଭଙ୍ଗା, ଦଦରା ଖଟର ମରାମତି ହେଉନଥିବା ବେଳେ ଚର୍ତୁପାର୍ଶ୍ବ ସଫେଇ ମଧ୍ୟ ହେଉନି।
ଅନ୍ୟପଟେ ଦେଖିବାକୁ ଗଲେ ବାର୍ଷିକ ଛାତ୍ରାବାସ ଫି’ ବାବଦକୁ କର୍ତ୍ତୃପକ୍ଷ ୫ ହଜାର ଟଙ୍କା, ମେସ୍ ପାଇଁ ୨ ହଜାର ଟଙ୍କା ଆଦାୟ କରୁଛନ୍ତି । ଅଥଚ ଜରାଜୀର୍ଣ୍ଣ ଛାତ୍ରାବାସର ଚିତ୍ର ବଦଳି ପାରୁନି। ବହୁ ଦାବି ପରେ ନିକଟରେ ଛାତ୍ରାବାସ ଶୌଚାଳୟର ମରାମତି କରାଯାଇଛି। କିନ୍ତୁ ବିଦ୍ୟୁତକରଣ ଭଳି ବହୁ କାମ ଅଟକି ରହିଛି। ବହୁ ପୁରୁଣା ଛାତ୍ରାବାସକୁ ଲାଗି ନୂତନ ଛାତ୍ରାବାସ ରହିଛି। ଉକ୍ତ ଛାତ୍ରାବାସରେ ଶହେରୁ ଉର୍ଦ୍ଧ୍ବ ରୁମ୍ ରହିଛି। ୩ ଶହରୁ ଉର୍ଦ୍ଧ୍ବ ଛାତ୍ର ରହୁଥିବା ବେଳେ ଖଟ ନଥିବାରୁ ତଳେ ଶୋଉଛନ୍ତି ଶହେରୁ ଉର୍ଦ୍ଧ୍ବ ଛାତ୍ର ।
ଅନେକ ଐତିହାସିକ କିମ୍ବଦନ୍ତୀ ଏବଂ ବହୁ କୃତି ଛାତ୍ରଙ୍କ ସ୍ମୃତିର ମୂକସାକ୍ଷୀ ଛାତ୍ରାବାସର ପୁନରୁଦ୍ଧାର ପାଇଁ ବିଭିନ୍ନ ମହଲରେ ଦାବି ହୋଇଛି । କାହା ସ୍ଵାର୍ଥରେ ଏଠି ବାଜିରେ ଲଗା ଯାଉଛି ପିଲାଙ୍କ ଭବିଷ୍ୟତ ତାକୁ ଉଠିଛି ବଡ ପ୍ରଶ୍ନ ।
ଆହୁରି ପଢନ୍ତୁ ଓଡିଶା ଖବର...