ପ୍ରତିଦିନ ଶ୍ରୀମନ୍ଦିରରେ ସନ୍ଧ୍ୟା ଆଳତୀ ପରେ ଶ୍ରୀଜୀଉଙ୍କ ଆଜ୍ଞାମାଳ ପ୍ରାପ୍ତ ହୋଇ ପ୍ରଭୁ ମଦନମୋହନ, ଭୂଦେବୀ ଓ ଶ୍ରୀଦେବୀଙ୍କ ସହ ଝୁଲଣକୁଞ୍ଜରେ ବିରାଜମାନ କରୁଛନ୍ତି । ମୁକ୍ତିମଣ୍ଡପରେ ଆକର୍ଷଣୀୟ ଭାବେ ନିର୍ମାଣ କରାଯାଇଥିବା ଝୁଲଣକୁଞ୍ଜରେ ପ୍ରଭୁ ମଦନମୋହନ ରାସ କରୁଛନ୍ତି । କେବଳ ଶ୍ରୀମନ୍ଦିର ନୁହେଁ ଶ୍ରୀମନ୍ଦିର ସହ ଜଡିତଥିବା ମଠ ମନ୍ଦିର ତଥା ପୁରୀର ବିଭିନ୍ନ ଘରେ ମଧ୍ୟ ଏହି ଝୁଲଣ ଦେଖିବାକୁ ମିଳିଛି । ପ୍ରାୟତଃ ଏକ ମାସ ପୂର୍ବରୁ କାରିଗରମାନେ ଶୁଦ୍ଧପୂତ ଭାବେ ଏହି ଝୁଲଣ ନିର୍ମାଣରେ ଲାଗିଥାନ୍ତି । କୁଞ୍ଜକୁ ଆକର୍ଷଣୀୟ କରିବା ପାଇଁ ଜରି, ଜମ୍ବୁରା, ସୋଲ, ରଙ୍ଗ ଓ ନୂଆକନା ବ୍ୟବହାର କରାଯାଇଥାଏ । ଏହି କୁଞ୍ଜରେ କେବଳ ଦେବାଦେବୀ ନୁହନ୍ତି ସଖୀ,ପଶୁପକ୍ଷୀ ଯଥା ଶୁଆସାରୀ,ବଣିପାରା,ଗୁଣ୍ଡୁଚିମୂଷା,ମାଙ୍କଡ଼ ସହ ବିଭିନ୍ନ ବନ୍ୟପ୍ରାଣୀ ବିଭିନ୍ନ ଗଛଲତା ସହ ସୁବାସିତ ଫୁଲ ଓ ଫଳମୂଳକୁ ମଧ୍ୟ ସ୍ଥାନ ଦିଆଯାଇଥାଏ ।
ସେପଟେ କରୋନା କଟକଣା ପାଇଁ ଝୁଲଣଯାତ୍ରା ଲଗାତାର ଦୁଇ ବର୍ଷ ଭକ୍ତଙ୍କ ପାଇଁ ସାମାନ୍ୟ ଫିକା ପଡିଥିଲା । କିନ୍ତୁ ଚଳିତବର୍ଷ କଟକଣା ସମ୍ପୂର୍ଣ୍ଣ କୋହଳ ହେବାରୁ ଏହି ଯାତ୍ରାକୁ ଦେଖିବା ପାଇଁ ଶ୍ରୀମନ୍ଦିର ସମେତ ବିଭିନ୍ନ ମଠବାଡିରେ ଭକ୍ତ ଶ୍ରଦ୍ଧାଳୁଙ୍କ ଗହଳି ଦେଖିବାକୁ ମିଳିଛି । ବିଭିନ୍ନ ମଠ ମାନଙ୍କରେ ଝୁଲଣଯାତ୍ରା ଅବସରରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି । କେବଳ ସେତିକି ଘର ମାନଙ୍କରେ ମଧ୍ୟ ଆଡମ୍ବର ଭାବେ ଚଳିତବର୍ଷ ଝୁଲଣଯାତ୍ରା କରାଯାଉଥିବା ଦେଖିବାକୁ ମିଳିଛି । ଅନ୍ୟପଟେ ଝୁଲଣକୁଞ୍ଜରେ ବିରାଜିତ ମହାପ୍ରଭୁଙ୍କ ଠାରେ ବିଭିନ୍ନ ପିଠାପଣା ସହ ଫଳମୂଳ ଲାଗି କରାଯାଉଛି ।
ଦ୍ଵାପର ଯୁଗର ପ୍ରଭୁ ଶ୍ରୀକୃଷ୍ଣ ଓ ରାଧାରାଣୀଙ୍କ ଝୁଲଣ କୁଞ୍ଜର ରାସଲୀଳାକୁ ସ୍ମରଣ କରି ଶ୍ରୀକ୍ଷେତ୍ରରେ ଶ୍ରୀମନ୍ଦିର ସହ ବିଭିନ୍ନ ମଠରେ ଏହି ମହାନ ପରମ୍ପରା କାହିଁ କେଉଁ ବର୍ଷରୁ ଚାଲି ଆସୁଛି ।
ଧର୍ମ ଓ ସଂସ୍କୃତି ଖବର ଆହୁରି ପଢ଼ନ୍ତୁ ।