ଏ ଦୃଶ୍ୟ ହେଉଛି ବାବା କପିଳେଶ୍ବର ମନ୍ଦିରର। ଲିଙ୍ଗରାଜ ମହାପ୍ରଭୁଙ୍କ ମନ୍ତ୍ରୀ କପିଳନାଥ ଠାକୁରେ। ଲୋକେ କୁହନ୍ତି ଏ ଦିଅଁ କାଳେ ନିଶ୍ବାସ ନିଅନ୍ତି। ପ୍ରତ୍ୟକ୍ଷରେ ଆପଣ ମଧ୍ୟ ଏ ଦୃଶ୍ୟ ଦେଖିପାରିବେ। ଏହି ଦିବ୍ୟ କଳିଳେଶ୍ବର ଶିବଲିଙ୍ଗ ସମ୍ମୁଖରେ ଦୀପ ଦେଖାଇଲେ ସିଖା ହଲିବାକୁ ଲାଗେ। ପାଣି ଚହଲିବାକୁ ଲାଗେ।
ହେଲେ ଏ ଦିଅଁ ଦିର୍ଘ ୧୦ ଦିନ ହେଲା ଅପୂଜା ବସିଥିଲେ। ସେବାୟତ ବିବାଦ ପାଇଁ ଦିଅଁଙ୍କୁ ପାଣି ପତର ଟିକିଏ ମିଳୁ ନ ଥିଲା। ହେଲେ ଆଜି ସ୍ଥାନୀୟ ମହିଳାମାନେ ଅଣ୍ଟା ଭିଡିଲେ। ଦେଉଳ ଦୁଆରେ ପଡିଥିବା ପ୍ରଶାସନିକ ତାଲା ବାଡେଇ ଭାଙ୍ଗିଲେ। ଆଉ ଆରମ୍ଭ ହେଲା ଦେବନୀତି।
ବାହାରେ ସେବକମାନେ ଦୋଳ ମାଜଣା କରୁଛନ୍ତି। ଆଉ ଏଠି ଦେଉଳ ମୁହଁରେ ଦିଅଁଙ୍କ ମଙ୍ଗଳାଳତୀ ଦେଖିବେ ବୋଲି ଅପେକ୍ଷା କରିଛନ୍ତି ଭକ୍ତ। ଆପଣ ଭାବୁଥିବେ ଦେଉଳ ଏତେଦିନ ବନ୍ଦ ଥିଲା କ’ଣ ପାଇଁ।
ସମସ୍ତେ ଜାଣନ୍ତି ପ୍ରତିବର୍ଷ ମହାଶିବରାତ୍ରୀ ପରେ ଶ୍ରୀ ଲିଙ୍ଗରାଜ ଏହି ମନ୍ଦିରକୁ ବିଜେ କରନ୍ତି। ହୁଏ ହାଣ୍ଡିଭଙ୍ଗା ଜାତ। ହେଲେ ଏହି ଯାତ୍ରାରେ ଠାକୁର ପୂଜାର ଅଧିକାରକୁ ନେଇ ଦୀର୍ଘ ବର୍ଷ ହେଲାଣି ବିବାଦ ରହିଛି। ମଲିଆ ଏବଂ ଖୁଣ୍ଟିଆ ଦୁଇ ସେବକ ଗୋଷ୍ଠୀ ମଧ୍ୟରେ ବିବାଦ ଯୋଗୁ ଅପ୍ରିତିକର ସ୍ଥିତି ସୃଷ୍ଟି ହେଉଛି। ଯାହାକୁ ହୃଦୟଙ୍ଗମ କରି ପ୍ରଶାସନ ଦେଉଳ ଦୁଆରେ ତାଲା ପକାଇଥିଲା।
କିନ୍ତୁ ଭାବ ଆଉ ଆବେଗ କେବେ ହେଲେ ପ୍ରଶାସନିକ କଟକଣା ବୁଝେନି ତାହା ଆଜି ପ୍ରମାଣିତ ହୋଇଛି। ମହିଳାମାନେ ତାଲାଭାଙ୍ଗି ପ୍ରଭୁଙ୍କ ସେବାକୁ ସୁଗମ କରିଛନ୍ତି।