ନଈ ପଠା ଠାରୁ ଆରମ୍ଭ କରି ଶସ୍ୟ କ୍ଷେତ, ବିଲ୍ ବନ ପ୍ରାନ୍ତର ସର୍ବୋପରି ରାଜପଥର ଉଭୟ ପାର୍ଶ୍ବରେ ଧବଳ ଚାମର ହଲାଇ ମା'ଙ୍କୁ ଅସୀମ ଭକ୍ତି ଶ୍ରଦ୍ଧାର ସହିତ ସ୍ୱାଗତ କରୁଛି କାଶତଣ୍ଡୀ ଫୁଲ । ହଜାର ହଜାର ଦେଖଣାହାରୀଙ୍କ ପାଇଁ ଫୁଲ ତୋଡା ପ୍ରାୟ ଅପେକ୍ଷା କରି ରହିଛି ସୈାନ୍ଦର୍ଯ୍ୟମୟୀ ସୁଖ ଦାୟୀ ଭୁବନମୋହିନୀ ଶୁଭ୍ର କାଶତଣ୍ଡୀ ଫୁଲ । ବିଶେଷକରି ବ୍ରହ୍ମପୁରରୁ ଭୁବନେଶ୍ୱର ଅଭିମୁଖେ ଯାତ୍ରା କଲାବେଳେ ଐତିହାସିକ ନଗରୀ ରମ୍ଭା ପରେ ପରେ ସାନଘାଟି, ବଡଘାଟି, ହରିଡାମୂଳ, କେଶପୁର ରାସ୍ତାରେ ପରିଲକ୍ଷିତ ହୁଏ କାଶତଣ୍ଡୀ ଫୁଲ ।
ଅନ୍ୟ ପକ୍ଷରେ ଭୁବନେଶ୍ୱର ଠାରୁ ବ୍ରହ୍ମପୁର ଅଭିମୁଖେ ଯାତ୍ରା ସମୟରେ କେଶପୁର, ହରିଡା ମୂଳ, ବଡଘାଟି, ସାନଘାଟିର ନୈସର୍ଗିକ ଶୋଭା ସମ୍ପଦ କାଶତଣ୍ଡୀ ସମ୍ଭାରରେ ରମ୍ୟ ରୋମାଞ୍ଚ ହୃଦବୋଧ ହୁଏ । କେବଳ ସେତିକି ନୁହେଁ ପାହାଡ଼ ପର୍ବତ, ଗଛଲତା, ଫୁଲଫଳରେ ପରିପୁଷ୍ଟ ପରିବେଶ କବି, ଭାବୁକ, ଦର୍ଶକ, ବୁଦ୍ଧିଜୀବୀ, ପଥଚାରୀଙ୍କ ମନ ପ୍ରାଣ ହୃଦୟକୁ ଅଭିଭୂତ କରୁଛି । ବାସ୍ତବିକ୍ ସେ ଶୋଭାର ପଟ୍ଟାନ୍ତର ନାହିଁ । ସେଥିପାଇଁ ତ ଭକ୍ତ କବି ମଧୁସୂଦନ ରାଓ କହିଛନ୍ତି :-
"ରୁଚିର ଶରଦ କାଳ ବିରାଜିଲା ଆସି
ହସିଲା ଧରଣୀରାଣୀ ଶୋଭା ପରକାଶି ।"
ସମୟ ସରିଲେ ନଦୀପଠାରୁ ବିଦାୟ ନେଇଯିବ ଏ ବିଚିତ୍ର ଫୁଲ, ଆଉ ମନରେ ଛାଡିଯିବ ପ୍ରୀତି ଚିହ୍ନ, ଆଖିରେ ଭରିଦେଇଯିବ ଆରଶନ ପାଇଁ ଅନନ୍ତ ଅପେକ୍ଷା ।