ଘଟଣାଟି ହେଉଛି କେନ୍ଦ୍ରାପଡା ଜିଲ୍ଲା ଆଳି ଅଞ୍ଚଳର । ଲାଇଫ ଲାଇନ ଭାବେ ପରିଚିତ କଟକ -ଚାନ୍ଦବାଲି ରାସ୍ତାର ମାଳପାଟଣା ଓ ସିଙ୍ଗିରି ବଜାର ମଝିରେ ରହିଛି ଛପୋଲିଆ ଛକ l ଏହି ଛକ ଏବେ ପାଲଟିଛି ମରଣଯନ୍ତା l ବାରମ୍ବାର ଏଠାରେ ଦୁର୍ଘଟଣା ଘଟୁଥିବା ସତ୍ତ୍ବେ ପ୍ରଶାସନର ନିରବତା ସ୍ଥାନୀୟ ବାସୀଙ୍କୁ ନିରାସ କରିଛି । ପ୍ରଶାସନ କିଛି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକଲେ ଆଗାମୀ ଦିନରେ ଏହାକୁ ସବୁଦିନ ପାଇଁ ବନ୍ଦ କରିଦେବାକୁ ଚେତାବନୀ ଦିଆଯାଇଛି ।
ଏହି ସ୍ଥାନକୁ ଦୁର୍ଘଟଣା ପ୍ରବଣ ସ୍ଥାନ ଭାବେ ଘୋଷଣା କରିବାକୁ ଆଳି ଥାନା ପକ୍ଷରୁ ପରିବହନ, ପୂର୍ତ୍ତବିଭାଗ ଓ ଜିଲ୍ଲାପାଳଙ୍କ ନିକଟକୁ ଚିଠି ଲେଖା ହୋଇଛି । ପୂର୍ତ୍ତବିଭାଗ ଓ ପରିବହନ ବିଭାଗ ଅଧିକାରୀ ଦୁର୍ଘଟଣା ସ୍ଥଳ ପରିଦର୍ଶନ କରି ଖୁବଶୀଘ୍ର ତ୍ବରିତ ପଦକ୍ଷେପ ନେବାକୁ ପ୍ରତିଶ୍ରୁତି ମଧ୍ୟ ଦେଇଛନ୍ତି l ମରଣଯନ୍ତା ପାଲଟିଥିବା ଛପୋଲିଆ ଛକରେ ବଢ଼ି ଚାଲିଛି ଦୁର୍ଘଟଣା ଓ ଲିଭିଚାଲିଛି ଗୋଟିଏ ପରେ ଗୋଟିଏ ଜୀବନ l ଏହାକୁ ନେଇ ସାଧାରଣ ଲୋକଠୁ ଆରମ୍ଭ କରି ସ୍ଥାନୀୟ ପ୍ରଶାସନ ଚିନ୍ତାରେ ପଡ଼ିଥିବା ବେଳେ ଦେଖିବାକୁ ବାକି ରହିଲା କେବେ ହେଉଛି ଏହାର ପ୍ରତିକାର ବ୍ୟବସ୍ଥା l